ସରଦାର ଖଲିସ୍ତାନୀ, ଆମେ ପାକିସ୍ତାନୀ ଓ ବିଜେପି କେବଳ ହିନ୍ଦୁସ୍ତାନୀ : ମେହବୁବା

217

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି କି ଆଜିର ସମୟରେ ଜମ୍ମୁ-କାଶ୍ମୀରରେ ବେକାରୀ ସମସ୍ୟା ସବୁଠାରୁ ଉକ୍ରଟ ରୂପ ନେଇଛି । ସେ ମଙ୍ଗଳବାର ଦିନ ଆକ୍ରାମକ ଢଙ୍ଗରେ କହିଛନ୍ତି କି ୩୭୦ ଉଚ୍ଛେଦ ବେଳେ କେନ୍ଦ୍ର ସରକାର କହିଥିଲେ କି ଏବେ ଜମ୍ମୁ-କାଶ୍ମୀରରେ କ୍ଷୀର ଓ ମହୁର ନଦୀ ବୋହିବ, ମାତ୍ର ଆଜି ଜମ୍ମୁ-କାଶ୍ମୀରରେ ଦେଶର ସବୁଠାରୁ ଅଧିକ ବେକାରୀ ସୃଷ୍ଟି ହୋଇଛନ୍ତି । ଅନ୍ୟପଟେ ବିଜେପିର ୭୦ ଜଣ ମନ୍ତ୍ରୀ ଏଠାକୁ ଫିତା କାଟିବାକୁ ଆସି ଯେଉଁ ପ୍ରକଳ୍ପ ଉଦଘାଟନ କରିଛନ୍ତି ତାହାର କାମ ମନମୋହନ ସିଂ ସରକାର ଅମଳରେ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି । ବର୍ତମାନ ସରକାର ସମୟରେ ଏଠାରେ ଗୋଟିଏ ବି ପ୍ରକଳ୍ପ ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

ମୁଫତି କହିଛନ୍ତି କି ଜମ୍ମୁ-କ୍ଷେତ୍ରରେ ବହୁମୁଖୀ ସଂସ୍କୃତି ରହିଛି । ସାରା ଦେଶରେ ଜମ୍ମୁ-କାଶ୍ମୀର ଏମିତି ଗୋଟିଏ ରାଜ୍ୟ ଯେଉଁଠାରେ ସବୁ ଜାତି ଓ ଧର୍ମ ବିଶ୍ୱାସର ଲୋକ ରହିଥାନ୍ତି । ଆଜି କାଶ୍ମୀର ନାଗରିକଙ୍କ ସ୍ୱରକୁ ବିଜେପି ଚାପି ଦେବାକୁ ଚେଷ୍ଟା କରିଛି । ଏପଟେ କାଶ୍ମୀର ସରକାର ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିବା କାମରେ ଲାଗିଛନ୍ତି । ମନରେଗା କାମରେ ଠିକାଦାର ମାନେ ମେସିନ ବ୍ୟବହାର କରୁଥିବାରୁ ଶ୍ରମିକ କାମ ପାଇବାରୁ ବଂଚିତ ହେଉଥିବା ବେଳେ ନୂଆ ଅବକାରୀ ନୀତି ଅନେକ ଯୁବକଙ୍କ ରୋଜଗାର ଛଡାଇ ନେଇଛି ।

ସେ ଆଉପାଦେ ଆଗକୁ ଯାଇ କହିଛନ୍ତି କି ନେହେରୁ ଓ ବାଜପେୟୀଙ୍କ ଭଳି ନେତାଙ୍କର ଜମ୍ମୁ-କାଶ୍ମୀରର ବିକାଶ ନେଇ ସ୍ୱତନ୍ତ୍ର ଦୃଷ୍ଟିକୋଣ ଥିଲା । ହେଲେ ବିଜେପି ସରକାର ଏବେ ହିନ୍ଦୁ-ମୁସଲିମ ଆଳରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି । ବିଜେପି ପ୍ରମାଣ କରିବାକୁ ଚାହୁଁଛି ଯେ ସରଦାର ମାନେ ଖଲିସ୍ତାନୀ, ଜମ୍ମୁ-କାଶ୍ମୀରବାସୀ ପାକିସ୍ତାନୀ ଓ କେବଳ ବିଜେପି ନେତା ଓ କର୍ମୀମାନେ ହିଁ ହିନ୍ଦୁସ୍ତାନୀ ।