ନିତିଶ-ତେଜସ୍ୱୀ ଲଢ଼େଇ ଭିତରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିହାର ପଡ଼ିଲା ଭୋଟ୍ । ଜାତିବାଦ ଓ ବଂଶବାଦ ବାହାରେ ବିହାର ନିର୍ବାଚନରେ ସବୁଠାରୁ ବଡ଼ ମୁଦ୍ଦା ପାଲଟିଛି ବେକାରୀ ସମସ୍ୟା ।

93

କନକ ବ୍ୟୁରୋ : ନୀତିଶ- ତେଜସ୍ୱୀ ଲଢ଼େଇ ଭିତରେ ଆଜି ଶେଷ ହୋଇଛି ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ଟି ଆସନ ପାଇଁ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା ୫ଟା ସୁଦ୍ଧା ୫୨ ଦଶମିକ ୨୪ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ୧୬ ଟି ଜିଲ୍ଲାରେ ହୋଇଥିବା ଏହି ମତଦାନରେ ଆଜି ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ତେବେ ଏଥର ବିହାରବାସୀ କାହା ସପକ୍ଷରେ ଭୋଟ ଦେଉଛନ୍ତି ତାହା ଉପରେ ସାରା ଦେଶର ନଜର ରହିଛି । କାରଣ, ବିହାର ନିର୍ବାଚନରେ ପ୍ରଥମ ଥର ପାଇଁ ସବୁଠାରୁ ବଡ ପ୍ରସଙ୍ଗ ହୋଇଛି ବେକାରୀ ସମସ୍ୟା ।

ମହାମେଂଟର ମୁଖ୍ୟମନ୍ତ୍ରୀ ଚେହେରା ବନିଥିବା ତେଜସ୍ୱୀ ଯାଦବ ଏହି ପ୍ରସଙ୍ଗକୁ ଜୋରସୋରରେ ଉଠାଇବା ସହ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକରୀ ଦେବାକୁ ଘୋଷଣା କରିଛନ୍ତି । ତେଜସ୍ୱୀଙ୍କୁ ଟକ୍କର ଦେବାକୁ ଯାଇ ୧୯ ଲକ୍ଷ ରୋଜଗାର ଦେବ ବୋଲି ଇସ୍ତାହାରରେ ଘୋଷଣା କରିଛି ବିଜେପି । ଅନ୍ୟପଟେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ବର୍ଷର ଲାଲୁ ସରକାରକୁ ଜଙ୍ଗଲ ରାଜ ସହ ତୁଳନା କରି ତେଜସ୍ୱୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।

ବିହାର ରାଜନୀତିର ମୋଡ ବଦଳାଇଦେବା ପାଇଁ ପ୍ରଚାର ମଇଦାନରେ ଶକ୍ତି ପ୍ରଦର୍ଶନ କରୁଥିବା ତେଜସ୍ୱୀ ଯାଦବ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟରେ । ଗୋଟିଏ ପଟେ ବେକାରି ସମସ୍ୟା ଓ ବିହାରର ପଛୁଆ ସ୍ଥିତିକୁ ନେଇ ବିଜେପି ଓ ଜେଡିୟୁକୁ ଘେରୁଛନ୍ତି ତେଜସ୍ୱୀ । ଅନ୍ୟପଟେ ଜଙ୍ଗଲରାଜର ଯୁବରାଜ କହି ତେଜସ୍ୱୀଙ୍କ ଉପରେ ନିଶାନା ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ।

ବିହାର ମହାମେଂଟରେ ଜୁନିୟର ପାର୍ଟନର ଭାବେ ନିର୍ବାଚନ ଲଢୁଥିବା କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧୀ । ମହାମେଂଟର ମୁଖ୍ୟମନ୍ତ୍ରୀ ଚେହେରା ଆରଜେଡି ନେତା ତେଜସ୍ୱୀ ଯାଦବ । ଆଉ ତାଙ୍କରି ଭରସାରେ ନୀତିଶ ଓ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଭରପୁର ପ୍ରୟାସ ଚଳାଇଛି କଂଗ୍ରେସ । ଆଉ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଫଳତାକୁ ଟାର୍ଗେଟ କରିଛନ୍ତି ରାହୁଲ ।

ବିହାର ନିର୍ବାଚନରେ ଏନଡିଏ ବିରୋଧରେ ମହାମେଂଟର ମଙ୍ଗ ଧରିଛନ୍ତି ତେଜସ୍ୱୀ । ସରକାରୀ ଚାକିରି, ରୋଜଗାର, ଦାଦନ ଶ୍ରମିକ ଭଳି ଯୁବବର୍ଗଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ସେ ଜନମତ ସୃଷ୍ଟି କରୁଛନ୍ତି । ଏହାକୁ ନେଇ ବଦଳିଛି ବିହାର ରାଜନୀତିର ପ୍ରସଙ୍ଗ । ବେକାରି ଓ ଆର୍ଥିକ ଅନଗ୍ରସର ପ୍ରସଙ୍ଗକୁ ନେଇ ନୀତିଶ ସରକାରକୁ ଘେରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ତାଙ୍କ ସଭାରେ ହେଉଥିବା ଭିଡ, ଏନଡିଏ ନେତାଙ୍କ ନିଦ ହଜାଇ ଦେଇଛି । ୧୦ ଲକ୍ଷ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ନିର୍ବାଚନର ବଡ଼ ଚାଲ ଖେଳିଛନ୍ତି ତେଜସ୍ୱୀ ।