ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ବଡ ଖୁଲାସା । ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବଗୋଷ୍ଠୀ ବେରୋଜଗାର

295

କନକ ବ୍ୟୁରୋ : ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦ ବର୍ଷ ମଧ୍ୟରେ ଦେଶର ଲୋକଙ୍କର ସଂଚୟ ତଳସ୍ତରକୁ ଆସିଛି । ଏହାସହ ଲୋକଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢିବାରେ ଲାଗିଛି । ଏବେ ପୁଣି ଦେଶର ବେରୋଜଗାରକୁ ନେଇ ଏକ ବଡ ରିପୋର୍ଟ ଆସିଛି । ଦେଶରେ ଥିବା ୨୫ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀଙ୍କ ମଧ୍ୟରୁ ୪୨ ପ୍ରତିଶତ ବେରୋଜଗାରୀ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୯-୨୦ ରେ ଦେଶରେ ବେରୋଜଗାରୀ ହାର ୮.୮ ପ୍ରତିଶତ ଥିଲା, ଯାହାକି ୨୦୨୦-୨୧ ବେଳକୁ ହ୍ରାସପାଇ ୭.୫ ପ୍ରତିଶତ ଥିଲା । ସେହିଭଳି ୨୦୨୨-୨୩ ବେଳକୁ ଏହି ପ୍ରତିଶତ ୬.୬ରେ ପହଂଚିଥିଲା । ହେଲେ ଏବେ ଶିକ୍ଷିତ ଯୁବଗୋଷ୍ଠୀ ଅଧିକ ବେରୋଜଗାର ହେଉଥିବା ଦେଖିବାକୁ ମିଳିଛି ।

ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଷ୍ଟେଟ ଅଫ୍ ୱାର୍କିଂ ଇଣ୍ଡିଆ ୨୦୨୩କୁ ଉଦ୍ଧୃତ କରି ଏହି ସୂଚନା ଦିଆଯାଇଛି । ରିପୋର୍ଟ ମୁତାବକ ୨୫ ରୁ ୨୯ ବର୍ଷ ବୟସର ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ସର୍ବାଧିକ ୨୨.୮ ପ୍ରତିଶତ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ସହ ୨୫ ବର୍ଷରୁ କମ ବୟସର ଯୁବଗୋଷ୍ଠୀଙ୍କ ବେକାରୀ ହାର ସର୍ବାଧିକ ୨୧.୪ ପ୍ରତିଶତ ରହିଛି । ୩୫ ବର୍ଷରୁ ଅଧିକ ବୟସର ସ୍ନାତକଙ୍କ ମଧ୍ୟରେ ବେକାରୀ ହାର ୫ ପ୍ରତିଶତରୁ କମ ରହିଛି । ୪୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସ୍ନାତକଙ୍କ ମଧ୍ୟରେ ବେକାରୀ ହାର ମାତ୍ର ୧.୬ ପ୍ରତିଶତ ରହିଛି ।

ରିପୋର୍ଟ ମୁତାବକ ୨୫ ବର୍ଷରୁ କମ୍ ନିରକ୍ଷର ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ୧୩.୫ ପ୍ରତିଶତ ରହିଛି । ୪୦ ବର୍ଷ କିମ୍ବା ତା ଠାରୁ ଅଧିକ ନିରକ୍ଷର ବର୍ଗରେ ବେକାରୀ ହାର ୨.୪ ପ୍ରତିଶତ ରହିଛି । ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟ ସରକାରୀ ତଥ୍ୟ ଉପରେ ଆଧାରିତ । ଏନ୍ ଏସ୍ ଓ ର ନିଯୁକ୍ତି –ବେକାରୀ ସର୍ଭେ, ଶ୍ରମ ଶକ୍ତି ସର୍ଭେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ, ଜନସଂଖ୍ୟା ଜନଗଣନା ଭଳି ସରକାରୀ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଗ୍ରାମୀଣ କର୍ଣ୍ଣାଟକ ଏବଂ ରାଜସ୍ଥାନରେ ୱାକିଂ ସର୍ଭେ ନାମକ ଏକ ସ୍ୱତନ୍ତ୍ର ସର୍ଭେ କରାଯାଇଛି ।

ରିପୋର୍ଟରେ କୁହାଯାଇଛି କି ଦେଶରେ ବେକାରୀ ହାର ହ୍ରାସ ପାଇଥିଲେ ମଧ୍ୟ ଆୟ ସ୍ଥିର ରହିଛି । ରିପୋର୍ଟ ମୁତାବକ କରୋନା ମହାମାରୀ ଆସିବା ପୂର୍ବରୁ ହିଁ ମହିଳାଙ୍କ ଆୟ ହ୍ରାସ ପାଇବାରେ ଲାଗିଥିଲା । ୨୦୦୪ ପରଠାରୁ ମହିଳାଙ୍କ ନିଯୁକ୍ତି ହ୍ରାସ ପାଉଥିଲା ବା ସ୍ଥିର ରହିଥିଲା । ୨୦୧୯ ପରଠାରୁ ମହିଳାଙ୍କ ରୋଜଗାର ବୃଦ୍ଧି ପାଇଛି । ମହାମାରୀ ସମୟରେ ବହୁ ସଂଖ୍ୟକ ମହିଳା ଆତ୍ମନିଯୁକ୍ତିକୁ ଅପଣାଇନେଇଛନ୍ତି । କରୋନା ମହାମାରୀ ପୂର୍ବରୁ ୫୦ ପ୍ରତିଶତ ମହିଳା ଆତ୍ମନିଯୁକ୍ତିରେ ଥିବା ବେଳେ ମହାମାରୀ ପରେ ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି ।