ବେରୋଜଗାର ମହିଳାଙ୍କ ପାଇଁ ଏବେ ରୋଜଗାରର ସୁଯୋଗ, ଘରେ ବସି କରୁଛନ୍ତି ଫୁଡ ପ୍ରୋସେସିଂ ୟୁନିଟ୍

106

କନକ ବ୍ୟୁରୋ : ଏଣିକି ଆଉ ଘରେ ଖାଲି ହାତରେ ବସିବେନି ମହିଳା । ମହିଳାଙ୍କୁ ସଶକ୍ତିକରଣ କରାଇବା ପାଇଁ ସରକାର ଅନେକ ଯୋଜନା ଖୋଲିଛନ୍ତି । ଯେଉଁଥିରେ ସାମିଲ ହୋଇ ବିଭିନ୍ନ ଗ୍ରୁପ ମାଧ୍ୟମରେ ଲାଭବାନ ହେଉଛନ୍ତି ମହିଳା । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର କୁସୁମୀ ଠାରେ ଏବେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୁଲ୍ୟରେ ଖୋଲାଯାଇଛି ଏକ ଖାଦ୍ୟ ପ୍ରକ୍ତିୟାକରଣ କେନ୍ଦ୍ର । ଯେଉଁଥିରେ ଉପକୃତ ହୋଇ କାମ ପାଇବେ ୫ଟି ଗ୍ରୁପର ୫୦ ଜଣ ମହିଳା ।

ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିଆରା ଉଦ୍ୟମ । ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ବଜାର ନିୟନ୍ତ୍ରଣ କମିଟି ଆନୁକୁଲ୍ୟରେ ସମ୍ବଲପୁର କୁଚିଣ୍ଡାର କୁସୁମୀ ଠାରେ ଖୋଲାଯାଇଛି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର । ଏଠାରେ ଲଙ୍କା ଗୁଣ୍ଡ, ଧାନ ଓ ଗହମ ପେଷା କେନ୍ଦ୍ର, ମୁଢି ଉତ୍ପାଦନ କେନ୍ଦ୍ର ଏବଂ ଶିତଳଭଣ୍ଡାରର ବ୍ୟବସ୍ଥା ରହିଛି । ଏଥିରେ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ପ୍ରସ୍ତୁତ କରିବା ପରେ ସେଗୁଡିକ ପ୍ୟାକେଟ୍ କରାଯାଇ ବଜାରକୁ ଛଡାଯିବ । ଏଥିପାଇଁ ୫ଟି ଏସଏଚଜି ଗ୍ରୁପ୍ର ୫୦ ଜଣ ମହିଳାଙ୍କୁ ଦାୟିତ୍ୱ ମିଳିଛି । ଆଇଟିଡିଏ ପକ୍ଷରୁ ଏହି ମହିଳାଙ୍କୁ ମେସିନ୍ ସାଙ୍ଗକୁ ଧାନ ଗହମ ଯୋଗାଇଦିଆଯାଉଛି । ଏଥିସହ ଅନ୍ୟାନ୍ୟ କଂଚାମାଲକୁ ସେମାନେ ରୁଣ ଆକାରରେ ଆଣି ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

କୁସୁମି ଠାରେ ଖୋଲାଯାଇଥିବା ଏହି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଯୋଗଦେଇ ମହିଳାଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଆହୁରି ଅଧିକରୁ ଅଧିକ ମହିଳା କିପରି ଉପକୃତ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ ଜିଳ୍ଲାପାଳ ।

ସରକାର ଆଦିବାସୀ ତଥା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ସୃଷ୍ଟି କରିବା ଏବଂ ଏହି ସୁଯୋଗର ଭରପୁର ଫାଇଦା ନେବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ବ୍ୟବସ୍ଥା କରିବା ନିହାତି ପକ୍ଷେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।