ଆଫଗାନିସ୍ତାନରେ ବଦଳିଯାଇଛି ଜୀବିକା ନିର୍ବାହର ରାସ୍ତା : ଯିଏ ଦିନେ ହାତରେ ବୁମ୍ ଧରି ପ୍ରତିଷ୍ଠିତ ଲୋକଙ୍କର ନେଉଥିଲେ ସାକ୍ଷାତକାର,ଏବେ ବିକୁଛନ୍ତି ଫଳ

ଗଣମାଧ୍ୟମର କଣ୍ଠରୋଧ ପରେ ରାଜରାସ୍ତାରେ ସାମ୍ବାଦିକ

177

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏଠାରେ ବଦଳି ଯାଇଛି ସାମାଜିକ ବିଧି ବ୍ୟବସ୍ଥା । ବ୍ୟକ୍ତି ସ୍ୱାଧୀନତା କ୍ଷୂର୍ଣ୍ଣ ହୋଇଛି । ଜୀବିକା ଚୟନର ଅଧିକାର ବି ଲୋକେ ହରାଇ ବସିଛନ୍ତି । ଆଉ ଗଣମାଧ୍ୟମର ବି କଣ୍ଠରୋଧ କରାଯାଇଛି । ବିଭିନ୍ନ ଟିଭି ଚ୍ୟାନେଲରେ ମହିଳା ଉପସ୍ଥାପିକାମାନେ କାମ କରିବା ଉପରେ ଲାଗିଛି ପ୍ରତିବନ୍ଧକ । ତାହାରି ଭିତରେ ଯେଉଁମାନେ ବିଭିନ୍ନ ବୃତିକୁ ଆପଣାଇ ନେଇଥିଲେ ସେମାନେ କିପରି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ତାର ଚିତ୍ର ଆସୁଛି ରାଜଧାନୀ କାବୁଲରୁ ।

ଇଏ ହେଉଛନ୍ତି, କାବୁଲର ସାମ୍ବାଦିକ ହସିବ୍ ୟୋସୋଫି । ବୟସ ୩୨, ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୧୫ ବର୍ଷର ଅଭିଜ୍ଞତା । ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଡ୍ୟୁସର ଓ ଡାଇରେକ୍ଟର ଭାବେ କାମ କରି ସାରିଛନ୍ତି । ହେଲେ କଠୋର ମୌଳବାଦୀ ଶାସକ, ଟେଲିଭିଜନର ବିଭିନ୍ନ କାଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ହସିବ୍ ଏବେ ରାସ୍ତା କଡରେ ଫଳ ବିକିବା ପାଇଁ ବାଧ୍ୟ ହେଉଛନ୍ତି । ଦିନେ ହାତରେ ବୁମ୍ ଧରି ଦେଶ ବିଦେଶର ବଡ଼ ବଡ଼ ଲୋକଙ୍କର ସାକ୍ଷାତକାର ନେଉଥିବା ବ୍ୟକ୍ତି, ଏବେ ରାସ୍ତା କଡର ଫଳ ବିକାଳି । ଗୋଟିଏ ଜନକଲ୍ୟାଣକାରୀ ରାଷ୍ଟ୍ରରେ ନାଗାରିକଙ୍କ ଆର୍ଥିକ ଓ ସାମାଜିକ ବିକାଶ ଶାସକଙ୍କର ଦାୟିତ୍ୱ ହେବା ଦରକାର । ହେଲେ ଆଫଗାନିସ୍ତାନରେ କ’ଣ ଚାଲିଛି, ତାହା ଆପଣ ଆଗରୁ ଜାଣିଛନ୍ତି, ଇଏ କେବଳ ଆଉ ଏକ ଉଦାହରଣ ମାତ୍ର ।