କନକ ବ୍ୟୁରୋ : ଜି-୨୦ ବୈଠକ ପରେ କେନ୍ଦ୍ର ସରକାର ‘ନୂଆଦିଲ୍ଲୀ ଘୋଷଣାନାମା’ ଜାରି କରିଛନ୍ତି । ଏବେ ଏହି ନୂଆଦିଲ୍ଲୀ ଘୋଷଣାନାମାକୁ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କେବଳ ଜି-୨୦ ବୈଠକ ହେବ, ନେତା ଏକାଠି ହେବେ ବୋଲି ବିଶ୍ୱାସ ଥିଲା । କିନ୍ତୁ ଏହି ଅବସରରେ ବିଭିନ୍ନ ଦେଶର ନେତାଙ୍କୁ ଡାକି ଭାରତ ଦ୍ୱିପାକ୍ଷିକ ବୈଠକ କରିବା ଏବଂ ମିଳିତ ବିବୃତି ଜାରି କରିବା ଏହା ଭାରତର କୂଟନୀତିକ ବିଜୟ ।

Advertisment

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଭାରତ ଦୁଇ ଦେଶ ସହ କୌଣସି ସମ୍ପର୍କ ଖରାପ ନକରି ସମାନ୍ତରଳ ଭାବେ କୂଟନୀତିକ ସମ୍ପର୍କ ଜାରି ରଖିଛି । ୟୁରୋପୀୟ ସଂଘ ଯଦିଓ ଭାରତର ଏପରି ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଆପତି କରିଛି । ଏପରି ସ୍ଥିତିରେ ମଧ୍ୟ ଭାରତ ବିଶ୍ୱର ପ୍ରମୁଖ ନେତାଙ୍କୁ ଡାକି ଗୋଟିଏ ମଂଚରେ ଛିଡା କରିବାରେ ସକ୍ଷମ ହୋଇଛି । ଯଦିଓ ଚୀନ୍ ଓ ରୁଷର ମୁଖିଆ ଆସିନଥିଲେ କିନ୍ତୁ ଦୁଇ ଦେଶର ମନ୍ତ୍ରୀ ଆସିଥିଲେ । ଏପରି କରି ଭାରତ ଯେଉଁ ସବୁ ଦେଶ ସହ ସଂପର୍କରେ ଫାଟ ଥିଲା ତାକୁ ତାଳି ପକାଇଛି ।

ଥରୁର କହିଛନ୍ତି ଯେ ସରକାର ଏହାକୁ ପ୍ରକୃତରେ 'ପିପୁଲ୍ସ ଜି -୨୦'ରେ ପରିଣତ କରିଛନ୍ତି । ବିଶ୍ୱ ନେତାଙ୍କ ଏହି ବିଶାଳ ସମ୍ମିଳନୀକୁ ଏକ ସଫଳତାରେ ପରିଣତ କରିବାକୁ ଶାସକ ବିଜେପି ଉଦ୍ୟମ କରିଛି । ଥରୁର କହିଛନ୍ତି ଯେ ଅନେକ ଦେଶ ଜି-୨୦ର ଅଧ୍ୟକ୍ଷତା କରିଛନ୍ତି କିନ୍ତୁ ଭାରତ ଏପରି କରିଛି ଯାହା ପୂର୍ବ ଜି -୨୦ ଆୟୋଜକମାନେ କରିନାହାନ୍ତି ।