କଂଗ୍ରେସ ଫୋକସରେ ଅବିଭକ୍ତ କୋରାପୁଟ: ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

125

କନକ ବ୍ୟୁରୋ: ଦକ୍ଷିଣ ଓଡିଶାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦୁଇଦିନ ଧରି କୋରାପୁଟରେ ଶୋଭାଯାତ୍ରା ଓ ସମାବେଶ ପରେ ଆଜି ମାଲକାନଗିରି ଜିଲ୍ଲାରେ ଦମ ଦେଖାଇଛି କଂଗ୍ରେସ । ରାଜ୍ୟର ପ୍ରମୁଖ ନେତା ଏହି ସମାବେଶରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଲୋକଙ୍କୁ ସୁନେଲି ସ୍ୱପ୍ନ ବି ଦେଖାଇଛନ୍ତି ।

କୋରାପୁଟ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବା ପରେ, ମାଲକାନଗିରିରେ ଦମ୍ ଦେଖାଇଛି କଂଗ୍ରେସ । ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀ, ମହିଳା ଓ ଜନସାଧାରଣ ସାମିଲ ହୋଇଛନ୍ତି । ପାରମ୍ପରିକ ନାଚ ଗୀତ ମାଧ୍ୟମରେ ନେତାଙ୍କୁ ପାଛୋଟି ନେଇଛନ୍ତି ଜନତା । ତାପରେ ମାଲକାନଗିରି ଡିଏନକେ ଖେଳପଡିଆରେ ଆୟୋଜିତ ହୋଇଯାଇଛି ମୂଳନିବାସୀ ଜନ ଜାଗରଣ ସମାବେଶ । ଆଉ ଏହି ସମାବେଶରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରଛନ୍ତି କଂଗ୍ରେସ ନେତା ।

ଏଥିସହ କଂଗ୍ରେସ କ୍ଷମତାକୁ ଆସିଲେ କଣ କରିବ ସେ ନେଇ ସୁନେଲି ସ୍ୱପ୍ନ ଦେଖାଇଛନ୍ତି ଦଳର ବରିଷ୍ଠ ନେତା । କହିଛନ୍ତି ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ କଣ କରିବେ । କର୍ଣ୍ଣାଟକ ପରି ପ୍ରତି ଘରର ମହିଳାଙ୍କୁ ୨ହଜାର ଟଙ୍କା ଭତ୍ତା, ପ୍ରତି ପରିବାରକୁ ମାଗଣା ୧୦କିଲୋ ଚାଉଳ, ମହିଳାଙ୍କୁ ରାଜ୍ୟ ବ୍ୟାପି ମାଗଣା ପରିବହନ ସୁବିଧା ଏବଂ ଧାନର ସହାୟକ ମୂଲ୍ୟ ୨୮ଶହ ଟଙ୍କା କରିବେ ।

କେବଳ ଏତିକି ନୁହେଁ ବିହାରରେ ଜାତି ଭିତିକ ଜନଗଣନା ପରେ, ଓଡିଶାରେ ବି ଜାତିଭିତିକ ଜନଗଣନା କରିବାକୁ ଦାବି କରିଛି କଂଗ୍ରେସ । ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାର ୨ଟି ଲୋକସଭା ଓ ୧୪ଟି ବିଧାନସଭା କ୍ଷେତ୍ରରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ ରହିଥିବାରୁ ଆଦିବାସୀ କାର୍ଡ ଖେଳିଛନ୍ତି କଂଗ୍ରେସ ନେତା ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାର ଏକ ମାତ୍ର ସଂସଦୀୟ କ୍ଷେତ୍ର କୋରାପୁଟରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଆଉ ଏହି ଅଂଚଳରେ ଏବେ ବି କଂଗ୍ରେସର ଭୋଟବ୍ୟାଙ୍କ ରହିଛି । ତେଣୁ, ସେହି ଅବିଭକ୍ତ କୋରାପୁଟରୁ କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।