ଡ୍ରଗ୍ସ କେସରୁ ଅଣ୍ଡରୱାର୍ଲ୍ଡ ଲିଙ୍କ । ଜାରି ରହିଛି ବିଜେପି-ଏନସିପି ଭିତରେ ଆରୋପ-ପ୍ରତ୍ୟାରୋପର ଧାରା

105

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ ଡ୍ରଗ ମାମଲାକୁ ନେଇ ବିବାଦ ଥମିବାର ନା ନେଉନାହିଁ । ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପୁଣି ନୂଆ ଅଭିଯୋଗ ଆଣିଛନ୍ତି । ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ବେଧଡକ ଜାଲି ନୋଟ କାରବାର ଚାଲୁଥିଲା ବୋଲି କହିଛନ୍ତି ନୱାବ ମଲ୍ଲିକ । ସେହପରି ଏନସିବି ଅଧିକାରୀ ସମୀର ୱାଙ୍ଖଡେ ତାଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାରୁ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି ବେଲି ନୱାବ ମଲ୍ଲିକ ଅଭିଯୋଗ କରିଛନ୍ତି ।

ଆରୟନ ଖାନ ଡ୍ରଗ କେସ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଲାଣି । ଘଟଣାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ବେଶ ସରଗରମ୍ ହୋଇ ଉଠିଛି । ବିଜେପି-ଏନସିପି ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପର ଧାରା । ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପୁଣି ନୂଆ ଅଭିଯୋଗ ଆଣିଛନ୍ତି । ଦେବେନ୍ଦ୍ର ଫଡନବିସଙ୍କ ସମ୍ପର୍କ ଅଣ୍ଡରୱାଲର୍ଡ ସହ ଥିବା କହିଛନ୍ତି ଏନସିପି ନେତା । ଫଡନବିସ ମୁଖମନ୍ତ୍ରୀ ଥିବା ସମୟରେ ମାଫିଆ ମାନଙ୍କଠାରୁ କମିଶନ ଆଦାୟ କରୁଥିଲେ ବୋଲି କହିଛନ୍ତି ନୱାବ ମଲ୍ଲିକ ।

ସେହିପରି ରିଆଜ ଭଟ୍ଟି ନାମକ ଗ୍ୟାଙ୍ଗଷ୍ଟରକୁ ନେଇ ମଧ୍ୟ ଫଡନବିସଙ୍କୁ ଟାର୍ଗେଟ କରିଛନ୍ତି ନବାବ ମଲ୍ଲିକ । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦର ଘନିଷ୍ଠ ରିଆଜ ଭଟ୍ଟି ସହ ଫଡନବିସଙ୍କ କଣ ସମ୍ପର୍କ ବୋଲି ପ୍ରଶ୍ନ କରିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ସେପଟେ ନବାବ ମଲ୍ଲିକଙ୍କ ପ୍ରଶ୍ନରେ ଉତ୍ତର ରଖି ବିଜେପି ନେତା କହିଛନ୍ତି, ରିଆଜ ଭଟ୍ଟିର ଭଲ ସମ୍ପର୍କ ଏନସିପି ଓ ଶିବସେନା ନେତାଙ୍କ ସହ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭଟ୍ଟିର ଏକ ଫଟୋ ସେୟାର କରି ବିଜେପି ନେତା ଆଶିଷ ସିଲକର କହିଛନ୍ତି ନବାବ ମଲ୍ଲିକଙ୍କ ହାଇଡ୍ରୋଜେନ୍ ବମ୍ ଫୁଲଝରି ବାହାରିଲା ।

ଡ୍ରଗ୍ସ ମାମଲାକୁ ନେଇ ଏନସିପି ନେତା ନୱାବ ମଲ୍ଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନବିସ ମଧ୍ୟରେ ଚାଲିଛି ଘମାସାନ୍ଧ ଲଢେଇ । ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି ଏହି ଦୁଇ ମନ୍ତ୍ରୀ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ନବାବ ମଲ୍ଲିକଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ ସହ ଥିବା କହିଥିଲେ ଫଡନବିସ । ଯାହାକୁ ନେଇ ବୁଧବାର ହାଇଡ୍ରୋଜେନ୍ ବମ୍ ପକାଇବେ ବୋଲି କହିଥିଲେ ନବାବ ମଲ୍ଲିକ । ଡ୍ରଗ୍ସ ମାମଲାରୁ ଅଣ୍ଡରୱାର୍ଲ୍ଡ, ଏବେ ରିଆଜ ଭଟ୍ଟି ନାମକ ଗ୍ୟାଙ୍ଗଷ୍ଟରକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ଜୋର ଧରିଛି । କାରଣ ବଡ ବଡ ନେତା ମନ୍ତ୍ରୀଙ୍କ ସହ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରିଆଜ ଭଟ୍ଟିର ଫଟୋ ଏବେ ଲୋକଲୋଚନକୁ ଆସିଛି । ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।