କନକ ବ୍ୟୁରୋ :  ଓଡିଶାରୁ ବିଦାୟ ନେଇଛି ଫୋନି । କିନ୍ତୁ ଭାଙ୍ଗି ଦେଇଛି ରାଜ୍ୟର ମେରୁଦଣ୍ଡ । ରାଜ୍ୟର ଦୁଇଟି ପ୍ରମୁଖ ସହରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି ଫୋନି । ଯାହାର ଚିତ୍ର ଦେଖିବା ମାତ୍ରେ ଆଖିକୁ ଆପଣାଛାଏଁ ଲୁହ ଜକେଇ ଆସୁଛି । କିଛି ଘଣ୍ଟାର ବାତ୍ୟା ପରେ ଏହି ଦୁଇ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି । କୋଠାଘରକୁ ଛାଡିଦେଲେ କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି । କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ବାତ୍ୟା ପରେ ପୁରୀ ସହରର ସ୍ଥିତି କିଭଳି ଆକାଶମାର୍ଗରୁ ତାହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ଆକାଶମାର୍ଗରୁ ସମୀକ୍ଷା ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଖାସକରି ପୁରୀର ସ୍ଥିତି ଦେଖିବା ପରେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ପାଇଁ ୧୫ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ଟେଲି କମ୍ୟୁନିକେସନକୁ ନେଇ ଯେଉଁ ସମସ୍ୟା ଦେଖା ଦେଇଛି ତାହାକୁ ଦୂର କରିବାକୁ ଜୋରଦାର ପ୍ରୟାସ କରାଯାଉଛି ବୋଲି କହିଛନ୍ତି ନବୀନ ।