କନକ ବ୍ୟୁରୋ: କେଇ ଘଣ୍ଟାରେ ବର୍ଷାରେ କାହିଁକି ମାଲକାନଗିରିରେ ଜାତୀୟ ରାଜପଥ ଉପରେ ମାଡି ଆସେ ବନ୍ୟା ପାଣି। ଜିଲ୍ଲାରେ ଅଚାନକ ବନ୍ୟା ବା ଫ୍ଲାଶ ଫ୍ଲଡକୁ ଏଡାଇବା ଲାଗି ହାଇ ଲେବେଲ ବ୍ରୀଜ୍ ନିର୍ମାଣ କାମ ଆରମ୍ଭ ହୋଇଛି। କମ୍ପାନୀର ନିର୍ମାଣ ଅବଧି ସରି ଆସୁଥିଲେ ହେଁ ଏଯାଏଁ କାମ ଅଧପନ୍ତରିଆ ହୋଇପଡ଼ିଛି। ଅନେକ ସ୍ଥାନରେ ଘରୋଇ ଓ ଜଂଗଲ ଜମି ଅଧିଗ୍ରଣରେ ବିଳମ୍ବ ଯୋଗୁ କାମ ଆରମ୍ଭ ହୋଇପାରିନାହିଁ। ଗ୍ରାଉଣ୍ଡ ଜିରୋରୁ କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ ।

ମାଲକାନଗିରି ଜାତୀୟ ରାଜପଥ ଉପରେ ଲହଡି ଭାଙ୍ଗେ ୫ରୁ ୧୦ ଫୁଟ ଉଚ୍ଚର ପାଣି । ଅଳ୍ପ କେଇ ଘଣ୍ଟାର ବର୍ଷାରେ ୩୨୬ ନଂ ଜାତୀୟ ରାଜପଥ ଉପରେ ୯ଟି ସ୍ଥାନରେ ମାଡ଼ିଆସେ ପାହାଡ଼ି ପାଣି । ପାଙ୍ଗାମ, ଅଁଳାଯୋଡି, ଏମ.ଭି-୭, ଏମଭି-୧୯, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମଭି ୯୦, ଏମଭି ୯୬, ମହାରାଜପାଲି ପୋଲ ଉପରେ ପ୍ରବାହିତ ହୁଏ ବନ୍ୟା ପାଣି । ଏଥିରୁ ମୁକୁଳିବା ପାଇଁ ସୁ-ଉଚ୍ଚ ପୋଲ ନିର୍ମାଣ ଲାଗି ବାରମ୍ବାର ଦାବି ପରେ ପୋଲ ତିଆରି ହେଉଛି । ହେଲେ ନିର୍ମାଣ ସରୁନଥିବାରୁ ଜଳ ଜନ୍ତ୍ରଣା ଭୋଗୁଛନ୍ତି ଲୋକେ ।

୨୦୧୯ରେ ୯ଟି ଉଚ୍ଚ ପୋଲକୁ ଅନୁମୋଦନ ଦେଇଥିଲେ କେନ୍ଦ୍ର ସରକାର। ୨୦୨୨ ଜୁଲାଇରେ ପ୍ରାୟ ୧୧୬ କୋଟି ବ୍ୟୟ ଅଟକଳରେ ୨ଟି ପର୍ଯ୍ୟାୟରେ କାମ ଆରମ୍ଭ କରିଥିଲେ ୨ଟି କମ୍ପାନୀ । ପାଙ୍ଗାମ, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମଭି-୯୬, ଏମଭି-୯୦ ପୋଲ ନିର୍ମାଣ ଅବଧି ଏଇ ମାସରେ ସରୁଛି । କିନ୍ତୁ ଏବେ ବି ପୋଲର ପିଲାର ନିର୍ମାଣ ସରିନି ।ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଅନେକ ପୋଲ ନିର୍ମାଣ କାମ ଏଯାଏଁ ଆରମ୍ଭ ହୋଇପାରିନଥିବା ଜଣାପଡ଼ିଛି ।