କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଆଜି ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଲିଟର ପିଛା ପ୍ରାୟ ୬ ଟଙ୍କା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୭ ପଇସା କମିଛି । ସେପଟେ ଓଡିଶା ସରକାର ଆଉ ୩ ଟଙ୍କା ଭାଟ୍ କମାଇବେ ବୋଲି କହିଛନ୍ତି । ଆଜି ମଧ୍ୟରାତ୍ରରୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମିବ । ଦୀପାବଳିରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ ଟିକେ ଆଶ୍ୱସ୍ତି ମିଳିଛି ।
ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରେ ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ଗୁରୁବାର ତା’ର ପ୍ରଭାବ ଦେଖିବାକୁ ମିଳିଛି ପେଟ୍ରୋଲ ଟାଙ୍କି ଗୁଡିକରେ । ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କାଳିମେଳା ସବୁଠୁ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ ଟଙ୍କା ୧୫ ପଇସା କମିଥିବା ବେଳେ ଡିଜେଲରେ କମିଛି ୧୨ ଟଙ୍କା ୮୭ ପଇସା । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାୟ ଏହି ଅନୁପାତରେ ଦର ହ୍ରାସ ପାଇଛି ।
ପେଟ୍ରୋଲ ଡିଜେଲ
ବୁଧବାର ଗୁରୁବାର ବୁଧବାର ଗୁରୁବାର
ଭୁବନେଶ୍ୱର ୧୧୧.୦୩ ୧୦୪.୮୮ ୧୦୭.୩୮ ୯୪.୫୧
କଟକ ୧୧୧.୪୩ ୧୦୫.୨୯ ୧୦୭.୭୫ ୯୪.୮୭
ସମ୍ବଲପୁର ୧୧୧.୮୯ ୧୦୫.୬୧ ୧୦୮.୨୧ ୯୫.୨୧
ବ୍ରହ୍ମପୁର ୧୧୨,୬୨ ୧୦୬.୪୮ ୧୦୮.୯୦ ୯୬.୨୪
କାଲିମେଳା ୧୧୭.୯୮ ୧୧୧.୮୩ ୧୧୪.୦୪ ୧୦୧.୧୬
ଏପଟେ ରାଜ୍ୟ ସରକାର ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲରେ ୩ ଟଙ୍କା ଲେଖାଏଁ ଭାଟ କମାଇଛନ୍ତି । ରାତି ୧୨ଟା ପରେ ଏହା ଲାଗୁ ହେବ । ତେବେ ଉଭୟ ଭାଟ୍ ଓ ଏକ୍ସାଇଜ ଡ୍ୟୁଟି ବାବଦରେ ଓଡ଼ିଶାକୁ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।
କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଗୋଟିଏ ପରେ ବିଜେପି ଶାସିତ ରାଜ୍ୟ ଭାଟ କମାଇଛନ୍ତି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର, ଏକ୍ସାଇଜ୍ ଡ୍ୟୁଟି କମାଇବା, ଏବଂ ବିଜେପି ଶାସିତ ରାଜ୍ୟ ଭାଟ କମାଇବା ଯୋଗୁଁ ବାଧ୍ୟ ହୋଇ ଓଡ଼ିଶା ଭାଟ କମାଇଛି ।
ଏପଟେ ରନ୍ଧନ ଗ୍ୟାସର ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପେଟ୍ରୋଲ, ଡିଜେଲ ଭଳି ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ କରିବାକୁ ଦାବି ହୋଇଛି । ସେହିପରି ଦରବୃଦ୍ଧି ଆନ୍ଦୋଳନକୁ ୧୦ ଦିନ ସ୍ଥଗିତ ରଖିଛି ବିଜେଡି । ଏହି ୧୦ ଦିନ ମଧ୍ୟରେ ରନ୍ଧନ ଗ୍ୟାସର ଦର ନକମିଲେ ଆନ୍ଦୋଳନକୁ ଦଳ ଓହ୍ଲାଇବ ବୋଲି କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ।