କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି । ଖାସକରି ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନ ଥରହର ହେଉଛି । ଆଉ ଏସବୁ ଭିତରେ ନିଜର ଦେଶବାସୀଙ୍କୁ ସୁରକ୍ଷା ଦେବା ୟୁକ୍ରେନ୍ ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛି । ଋଷର ଘନ ଘନ ଆକ୍ରମଣ ସତ୍ତେ୍ୱ ମଧ୍ୟ ଏବେ ବି ସୁରକ୍ଷିତ ଅଛନ୍ତି ୟୁକ୍ରେନ ବାସିନ୍ଦା । ଆଉ ୟୁକ୍ରେନବାସିନ୍ଦାଙ୍କ ଏହି ସୁରକ୍ଷାକବଚ ରାଜଧାନୀ କିବରେ ରହିଛି । ରାଜଧାନୀ କିବରେ ଥିବା ଆଶ୍ରୟସ୍ଥଳକୁ ଯିବାକୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।
ରାଜଧାନୀ ‘କିବ’ର ମେୟର ଥିବା ବିତାଲି କିଲତସ୍କୋ ସମସ୍ତ ଲୋକଙ୍କୁ ମେଟ୍ରୋ ଷ୍ଟେସନ ଓ ସବୱେରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳକୁ ଯିବାକୁ ଅପିଲ କରିଛନ୍ତି । କିବରେ ପ୍ରାୟ ସାଢେ ୪ ହଜାରରୁ ଅଧିକ ଆଶ୍ରୟସ୍ଥଳୀ ରହିଛି ।ଆଉ ଏହି ଆଶ୍ରୟସ୍ଥଳୀ ହିଁ ୟୁକ୍ରେନବାସୀଙ୍କ ସୁରକ୍ଷାକବଚ । କାରଣ ଆକାଶମାର୍ଗରୁ ହେଉଥିବା ଆକ୍ରମଣରେ ଏହି ଆଶ୍ରୟସ୍ଥଳୀର କୌଣସି କ୍ଷତି ହେବ ନାହିଁ । ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନ ଦୀର୍ଘ ବର୍ଷ ହେବ ଏଭଳି ଆଶ୍ରୟସ୍ଥଳୀ ନିର୍ମାଣ କରି ଆସୁଥିଲା । ଆଉ ଏବେ ଏହି ଆଶ୍ରୟସ୍ଥଳୀ ୟୁକ୍ରେନବାସୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି । ଏହାସହ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ୟୁକ୍ରେନରେ ପୂର୍ବ ୟୁରୋପର ସବୁଠୁ ବଡ ଓ ପୁରୁଣା ଅଣ୍ଡରଗ୍ରାଉଣ୍ଡ ନେଟୱର୍କ ରହିଛି ।
ଋଷ ସହ ୟୁକ୍ରେନର ବିବାଦ ବହୁ ପୁରୁଣା । ତେଣୁ ଯେତେବେଳେ ଋଷ ପ୍ରତି ଆକ୍ରମଣର ଆଶଙ୍କା ବଢିଥିଲା ସେତେବେଳେ ଏଥିରୁ ବର୍ତ୍ତିବାକୁ ଦେଶର ନାଗରିକ, ସ୍କୁଲ ଛାତ୍ରଙ୍କୁ ଟ୍ରେନିଂ ଦିଆଯାଇଛି ।