ଆଧୁନିକ ଯୁଗର ‘ପାତାଳ ଲୋକ’ । ଏହି ସହରରେ ଘରଠୁ ଆରମ୍ଭ କରି ହୋଟେଲ , ଲାଇବ୍ରେରୀ ସବୁକିଛି ମାଟିତଳେ ।

275

କନକ ବ୍ୟୁରୋ: ଆଜିକାଲି ଆଧୁନିକ ମଣିଷ ସୁଉଚ୍ଚ କୋଠାରେ ଖୋଲା ଆକାଶର ମଜା ନେବାକୁ ବେଶି ଆଗ୍ରହୀ । କିନ୍ତୁ ଏମିତି ବି ଜାଗା ଅଛି ଯେଉଁଠି ଲୋକେ ମାଟି ତଳେ ରହିବାକୁ ପସନ୍ଦ କରନ୍ତି । ଏପରି ସହର ଯେଉଁଠି ଅଧିକାଂଶ କୋଠା ମାଟି ତଳେ । ଘର ଠାରୁ ଆରମ୍ଭ କରି ପବ୍, ହୋଟେଲ ଚର୍ଚ୍ଚ ସବୁକିଛି ମାଟିତଳେ । ଏଠିକାର ଏଭଳି ଲାଇଫ୍ ଷ୍ଟାଇଲ ଦେଖିବାକୁ ଦୂରଦୂରାନ୍ତରୁ ଟୁରିଷ୍ଟମାନଙ୍କର ସୁଅ ଛୁଟେ ।

ଦୁନିଆଁର ସବୁଠୁ ନିଆରା ଅଣ୍ଡରଗ୍ରାଉଣ୍ଡ ସହର, ଯେଉଁଠି ସବୁକିଛି ମାଟିତଳେ । ଦାମୀ ପଥର ଓପାଲ ଷ୍ଟୋନ ପାଇଁ ସାରା ବିଶ୍ୱରେ ଜଣାଶୁଣା ମଧ୍ୟ ଏହି ସହର । ଏହାର ନାଁ ହେଉଛି ‘କୁବେର ପେଡି’ । ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମିରେ ଅବସ୍ଥିତ ଏହି ସହର । ଏଠିକାର ପାରିପାଶ୍ୱିର୍କ ସ୍ଥିତି ତଥା ପାଣିପାଗ ଏପରି ଯେ, ଏଠାରେ ଲୋକେ ବାହାରେ ନୁହେଁ ବରଂ ମାଟି ତଳେ ରହିବାକୁ ପସନ୍ଦ କରନ୍ତି ।

ଅନେକ ଅଣ୍ଡରଗ୍ରାଉଣ୍ଡ ଘର ବି ଆପଣ ହୁଏତ ଦେଖିଥିବେ । କିନ୍ତୁ ଏହି ସହରର ଅଣ୍ଡରଗ୍ରାଉଣ୍ଡ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏଠାରେ ସବୁକିଛି ମାଟିତଳେ ଗଢିଉଠିଥିବାରୁ ଏହି ସହରକୁ ‘ଆଧୁନିକ ଯୁଗର ‘ପାତାଳ ଲୋକ’ ବୋଲି କୁହାଯାଏ । ଦଶନ୍ଧି ଦଶନ୍ଧି ଧରି ଏଠାରେ ମହୁମୂଲ୍ୟ ରତ୍ନ ପଥର ଓପାଲ ଜେମ୍ସ ଷ୍ଟୋନ୍ ପାଇଁ ଖଣି ଖୋଳାଯାଉଛି । ଫଳରେ ମାଟି ତଳେ ବଡ ବଡ ଖାଦାନ ବନିଯାଉଛି । ଆଉ ଖାଦାନ ଗୁଡିକୁ ଖାଲି ନଛାଡି ଏଥିରେ ଭବ୍ୟ ଘର ସାଙ୍ଗକୁ ହୋଟେଲ , ପବ୍, ଚର୍ଚ୍ଚ ଲାଇବ୍ରେରୀ ସବୁକିଛି ନିର୍ମାଣ କରାଯାଉଛି ।

ପାହାଡିଆ ମରୁଭୂମି ହୋଇଥିବାରୁ ଏଠାରେ ବାହାରର ତାପମାତ୍ରା ଆବଶ୍ୟକତା ଠାରୁ ବେଶୀ । ତେଣୁ ଉପରେ ନରହି ବରଂ ମାଟି ତଳେ ଏହି ଖାଦାନ ଗୁଡିକରେ ଘର କରି ରହିବାକୁ ଲୋକେ ପସନ୍ଦ କରୁଛନ୍ତି । ଏହି ସହରରେ ୧୫୦୦ରୁ ଅଧିକ ଖାଦାନ ରହିଛି, ଯେଉଁଠି ଲୋକେ ଘର ନିର୍ମାଣ କରି ରହିଆସୁଛନ୍ତି । ମାଟି ତଳେ ନିର୍ମିତ ଏହି ଘରେ ସବୁ ପ୍ରକାର ସୁବିଧା ରହିଛି । ଆଧନିକ ଶୈଳୀରେ ଘର ଗୁଡିକୁ ନିର୍ମାଣ କରାଯାଇଛି ।

କୁବେର ପେଡି ସହରର ଲୋକସଂଖ୍ୟା ପାଖାପାଖି ୩୫୦୦ । ଏଥିରୁ ଅଧାରୁ ଅଧିକ ଲୋକେ ମାଟିତଳେ ରହିଆସୁଛନ୍ତି । ଏହି ସହରର ସ୍ଥାପନା କାହାଣୀ ବି ବେଶ୍ ରୋଚକ । ୧୦୦ ବର୍ଷରୁ ଅଧିକ ବର୍ଷ ପୂର୍ବରୁ ଜଣେ ଯୁବକ ଏଠାକୁ ଓପାଲ ଷ୍ଟୋନ୍ ଖୋଜିବାକୁ ଆସିଥିଲା । ତା’ପରେ ଏଠାକୁ ଲୋକଙ୍କ ସମାଗମ ଆରମ୍ଭ ହେଲା । ଏବଂ ବ୍ୟାପକ ମାତ୍ରାରେ ଓପାଲ ଷ୍ଟୋନ୍ ଖଣି ଖୋଳା ଆରମ୍ଭ ହେଲା । ବିଶ୍ୱରେ ଓପାଲ ଜେମ୍ସ ଷ୍ଟୋନର ଉତ୍ପାଦନର ୭୦ ପ୍ରତିଶତ କୁବେର ପେଡି ସହରରୁ ହିଁ ହୋଇଥାଏ । ତେଣୁ ଏହି ସହରକୁ ବିଶ୍ୱର ‘ଓପାଲ କ୍ୟାପିଟାଲ’ ବୋଲି ମଧ୍ୟ କୁହାଯାଏ ।
ଏଠାରେ ୭୦ରୁ ଅଧିକ ଓପାଲ ଖଣି ରହିଛି । ଓପାଲ ଧୁସର ରଙ୍ଗର ଏକ ମୂଲ୍ୟବାନ୍ ପଥର ଯାହା ଜ୍ୟୋତିଷ ଶାସ୍ତ୍ରରେ ବହୁଳ ଭାବେ ବ୍ୟବହାର କରାଯାଏ । ଏହା ସହ ଏଥିରୁ ବିଭିନ୍ନ ଦାମୀ ଅଳଙ୍କାର ମଧ୍ୟ ବନାଯାଏ । କୁବେର ପେଡି ସହରର ତାପମାତ୍ରା ଏପରି ଯେ, ଏଠାରେ ପଥର ମଝିରେ ମଧ୍ୟ ଓପାଲ ଷ୍ଟୋନ୍ ଆପେ ଆପେ ପ୍ରସ୍ତୁତ ହୋଇଯାଏ ।

କୁବେର ପେଡିର ତାପାମାତ୍ରା ଦ୍ରୁତ ଗତିରେ ବଦଳିଥାଏ । ଏହି ସ୍ଥାନ ବାଲିଆ ପଥରରେ ହୋଇଥିବାରୁ ଏଠି ଦିନରେ ତାପାମାତ୍ରା ୧୦୦ ଫାରେନାଇଟରୁ ଅଧିକ ରହିଥାଏ, ଯାହା ଅଷ୍ଟ୍ରେଲିଆର ତାପମାତ୍ରା ତୁଳନାରେ ଅଧିକ । ତେଣୁ ମାଟି ଉପରେ ରହିବା ଅପେକ୍ଷା ମାଟି ତଳେ ଘର କରି ରହୁଛନ୍ତି ଲୋକେ । ଅଣ୍ଡରଗ୍ରାଉଣ୍ଡରେ ଘର ଗୁଡିକର ନିର୍ମାଣ ଶୈଳି ଏପରି ଯେ ଏଠାରେ ତାପମାତ୍ରା ବାହାର ତାମାପାତ୍ରା ଠାରୁ ଖୁବ୍ କମ୍ । ନା ଏଠି ଖରା ଦିନେ ଏସି ଦରକାର, ନା ଶୀତ ଦନେ ରୁମ ହିଟର । କେଭ୍ ୱାଲ ହୋଇଥିବା ଯୋଗୁଁ ଅଣ୍ଡରଗ୍ରାଉଣ୍ଡର ତାପମାତ୍ରା ମଧ୍ୟମ ଅନୁପାତରେ ରୁହେ ।ଏଥିପାଇଁ ମାଟି ତଳେ ଲୋକେ ବଡବଡ ଫ୍ଲାଟ୍ ନିର୍ମାଣ କରୁଛନ୍ତି । ଏଠି କେବଳ ଘର ନୁହେଁ ବରଂ ହୋଟେଲ, ଚର୍ଚ୍ଚ, ରେଷ୍ଟୋରାଁ, ଓ ବାର, ସ୍କୁଲ, ଲାଇବ୍ରୋରୀ ସବୁକିଛି ମାଟି ତଳେ ।

ମାଟି ତଳେ ଲୋକଙ୍କ ପାଇଁ ରହଛି ସବୁପ୍ରକାର ଅତ୍ୟାଧୁନିକ ସୁବିଧା । ପୂର୍ବରୁ କେବଳ ପାଣି ସମସ୍ୟା ଥିବାବେଳେ ଏବେ ଏଠିକାର ପ୍ରଶାସନ ଜଳ ଯୋଗାଣ କରି ପାଣି ସମସ୍ୟାକୁ ବି ଦୂରେଇ ଦେଇଛି । ତେବେ ଓପାଲ ହବ୍ ସହ ଅଣ୍ଡରଗ୍ରାଉଣ୍ଡ ସିଟି ଦେଖିବାକୁ କୁବେର ପେଡିକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।