କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ଜୀବନ ଯାଇଛି । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁୁଥିବା ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୩ଟାରୁ ୩ଟା ୩୦ ମଧ୍ୟରେ ଜୀବନ ଯାଇଛି । ଏନେଇ ହସ୍ପିଟାଲ କର୍ତ୍ତର୍ୃପକ୍ଷ ସୂଚନା ଦେଇଛନ୍ତି ।
ମୃତ୍ୟୁ ଦ୍ୱନ୍ଦ୍ୱକୁ ନେଇ ଗତକାଲି ଦିନ ତମାମ ହାଇଟେକ୍ ହସ୍ପିଟାଲରେ ଉତେଜନା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି । ଦିଲ୍ଲୀପଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ବି କରିଦେଇଛନ୍ତି । ଏହାରି ଭିତରେ ଗୁରୁତର ହୋଇଥିବା ଦୁଇ ଜଣ ସୀମାଂଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେମାନଙ୍କୁ ଭେଂଟିଲେଟରରୁ ବାହାର କରିବା ପରେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଥିଲେ । ଏବେ ତାଙ୍କର ମୃତ୍ୟୁ ହେବା ପରେ ମର ଶରୀର କେଉଁ ପରିବାରକୁ ହସ୍ତାନ୍ତର କରାଯିବ ତାକୁ ନେଇ ଆଉ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ହେଲେ ହସ୍ପିଟାଲ କହିଛି ମରଶରୀର ପୋଲିସକୁ ହସ୍ତାନ୍ତର କରାଯିବ । ଡିଏନଏ ଟେଷ୍ଟ କରାଯାଇ ପରିଚୟ ସ୍ପଷ୍ଟ ହେଲା ପରେ ପରିବାରକୁ ଦିଆଯିବ ।
ଏପଟେ ହାଇଟେକ ହସ୍ପିଟାଲର ସିଇଓ କନକ ନ୍ୟୁଜକୁ ଫୋନ ଯୋଗେ କହିଛନ୍ତି ଯେ, ଭେଂଟିଲେଟରରୁ ବାହାରିଥିବା ବ୍ୟକ୍ତିଙ୍କ ପରିଚୟକୁ ନେଇ ଅନେକ ଘାଂଟ ଚକଟ ଚାଲିଥିଲା । ଡାକ୍ତର, ପରିବାର ସମସ୍ତେ ତାଙ୍କୁ ଅନେକ ପ୍ରଶ୍ନ ପଚାରିିଥିଲେ । କାଲି ଦିନସାରା ଲୋକ ଆଇସିୟୁ ଭିତରକୁ ଆସୁଥିଲେ । କେବଳ ସକାଳେ ଓ ସଂଧ୍ୟାରେ ରୋଗୀଙ୍କୁ ଦେଖିବାକୁ ନିୟମ ଥିଲେ ବି କେହି ମାନି ନଥିଲେ । ଏଥିପାଇଁ ସିଇଓଙ୍କ ଉପରେ ଚାପ ପଡ଼ିଥିବା ବି ସେ କହିଛନ୍ତି । ପୋଡ଼ିଯାଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଇନଫେକ୍ସନ୍ ଆଶଙ୍କା ବଢ଼ିଥିଲା । ଶେଷରେ ନିଜକୁ ଦିଲ୍ଲୀପ ପରିଚୟ ଦେଇଥିବା ବ୍ୟକ୍ତିଙ୍କର ଅବସ୍ଥା ରାତିରେ ଅଧିକ ସଂକଟଜନକ ହୋଇଥିଲା । ବିଳମ୍ବିତ ରାତି ୩ଟାରୁ ସାଢ଼େ ୩ଟା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।