ନବରଙ୍ଗପୁରରେ ପୋଲ ଭୁଷୁଭିବା ଘଟଣା : ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ; ସ୍ଥାନୀୟ ଲୋକଙ୍କ ଅଭିଯୋଗ, କାମ ହୋଇଛି ନିମ୍ନମାନର

52

କନକ ବ୍ୟୁରୋ : ନବରଙ୍ଗପୁର ତାଲାପଦରରେ ନିର୍ମାଣ ଚାଲିଥିବା ବିଜୁ ସେତୁ ଭୁଶୁଡିବା ଘଟଣାରେ ଜଣକର ଜୀବନ ଯାଇଛି । ଏହି ଘଟଣା ପରେ ଆଜି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଛି କନକନ୍ୟୁଜ । ଗାଁ ଲୋକଙ୍କ କହିବା ଅନୁସାରେ, ପୋଲ ନିର୍ମଣା ନିମ୍ନମାନର ହୋଇଥିଲା । ଏପରିକି ଗୋଡି, ସିମେଂଟ ବାଲି ଏଭଳିକି ସେଂଟ୍ରି ପାଇଁ ଆବଶ୍ୟକ ଥିବା ପାଇପ ବି ନିମ୍ନମାନର ଥିଲା । ଆଜି ସୁନାବେଡାରୁ ଏସଇ ପଂହଚି ଘଟଣାର ଅନୁଧାନ କରୁଛନ୍ତି ।

ଗତକାଲି ରାତିରେ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ପୋଲର ତୃତୀୟ ସ୍ଲାବ କାର୍ୟ୍ୟ ଚାଲିଥିବାବେଳେ ତାହା ଖସିପଡିଥିଲା । ଭଂଗା ବ୍ରିଜ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଥିଲେ । ଜାନିଗୁଡାରୁ ତାଲାପଦରକୁ ସଂଯୋଗ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିଲା ବିଜୁ ସେତୁ ନିର୍ମାଣ କାର୍ୟ୍ୟ । ୨ଟି ସ୍ଲାବ ସରିଥିବା ବେଳେ ୩ ନଂବର ସ୍ଲାବ୍ ନିର୍ମାଣ ଚାଲିଥିଲାବେଳେ ଘଟିଥିଲା ଏହି ଦୁର୍ଘଟଣା । ୨କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ କାମ ଚାଲିଛି ।

ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥାହୋଇ ଠିକାଦାର, ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ସରକାରଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏହି ସେତୁ ୨କୋଟି ୪୧ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ ହୋଇଛି ।