କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ରୋଗୀଙ୍କ ପାଇଁ ଯମ ପାଲଟି ଯାଇଛନ୍ତି। ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ ଜୀବିତ ହେବା ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆପାଟଣା ଗ୍ରାମର ଯୁବକ ସୁଜିତ ଖଟୁଆ(୨୫)ଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତରଖାନାର କର୍ତ୍ତବ୍ୟରତ ଡାକ୍ତର କରୁଣାକର ରାଉତ ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ସକାଳେ ଶବ ବ୍ୟବଚ୍ଛେଦ କରିବା ପାଇଁ ରିପୋର୍ଟ ବି ଲେଖି ଦେଇ ଯାଇଥିଲେ। ଶବ ବ୍ୟବଚ୍ଛେଦ ପୂର୍ବରୁ ମୃତ ଘୋଷିତ ସୁଜିତ ହଠାତ ଗୋଡ ହାତ ହଲାଇଥିଲେ। ତାଙ୍କର ଚେତା ଫେରିଆସିଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ।
ଏହି ଘଟଣା ଜଣାପଡିବା ପରେ ରୋଗୀର ପରିବାର ଲୋକେ ସକାଳେ କାର୍ଯ୍ୟରତ ଡାକ୍ତରଙ୍କୁ ଡାକି ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଯାଇଥିବା ରୋଗୀଙ୍କୁ ତୁରନ୍ତ ଭଦ୍ରକ ମେଡିକାଲର ମେଡିସିନ ୱାର୍ଡକୁ ଅଣାଯାଇ ଚିକିତ୍ସା କରାଯାଇଥିଲା।
ଏହି ଘଟଣାକୁ ନେଇ ଗତକାଲି ମେଡିକାଲ ପରିସରରେ ଦିନତମାମ ଉତ୍ତେଜନା ଲାଗି ରହିଥିଲା। ପରିବାର ଲୋକେ ଭଦ୍ରକ ଟାଉନ ଥାନାରେ ଡାକ୍ତର କରୁଣାକରଙ୍କ ନାମରେ ଏତଲା ଦେଇଥିବା ବେଳେ ତାଙ୍କୁ ଗିରଫ କରାଯାଉ ଓ ଚାକିରିରୁ ନିଲମ୍ବନ କରାଯାଉ ବୋଲି ପରିବାର ଲୋକେ ଦାବି କରିଥିଲେ। ମେଡିକାଲ ପରିସରରେ ଉତ୍ତେଜନା ଲାଗିଥିବାରୁ ଭଦ୍ରକ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Bhadrak-District-HQ-hospita.jpg)
/kanak/media/post_attachments/wp-content/uploads/2019/03/bdk98-300x184.jpg)