ଚୁକ୍ତିକୁ ୫ ବର୍ଷ ପୁରିଲାଣି, କିନ୍ତୁ ପ୍ରକଳ୍ପ ପାଇଁ ଇଟା ଖଣ୍ଡିଏ ବି ପଡିନି ।

127

କନକ ବ୍ୟୁରୋ : ଅନିଶ୍ଚିତତାରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାର ରେଳ ପ୍ରକଳ୍ପ । ଏହି ଦୁଇ ଜିଲ୍ଲାରେ ରେଳ ପ୍ରକଳ୍ପ ନେଇ ହୋଇଥିବା ଚୁକ୍ତିକୁ ୫ ବର୍ଷ ବିତିଛି । ହେଲେ ରେଳ ଲାଇନ ନିର୍ମାଣ ହେବା ଦୂରର କଥା ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ ଯୋଗୁ ଏହି ପ୍ରକଳ୍ପ ଆଗେଇ ପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହାରି ମଧ୍ୟରେ ଦୁଇ ରେଳ ମନ୍ତ୍ରୀ ଚାଲି ଯାଇଥିବା ବେଳେ ଓଡ଼ିଶାରୁ ରେଳ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଲୋକେ ଭରସା କରିପାରୁନାହାନ୍ତି ।

ରେଳପଥରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ୨୦୧୬, ଅକ୍ଟୋବର ୧୦ରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଚୁକ୍ତି ହୋଇଥିଲା । ଚୁକ୍ତି ମୁତାବକ ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ୧୩୦ କିମି ରେଳପଥ ନିର୍ମାଣ ହେବ । ଏଥିପାଇଁ ୨୫ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେବେ, ବାକି କେନ୍ଦ୍ର ସରକାର ବହନ କରିବେ । ହେଲେ ଏହାରି ଭିତରେ ୫ ବର୍ଷ ବିତିଲାଣି, ୨ ଜଣ ରେଳମନ୍ତ୍ରୀଙ୍କ ବଦଳି ହୋଇ ସାରିଛି । ଏବେ ଓଡିଶାର ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି । ସେ ଅବିଭକ୍ତ କୋରାପୁଟ ଜିଲ୍ଳା ଗସ୍ତ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ତଥାପି ମାଲକାନଗିରି-ନବରଙ୍ଗପୁର ରେଳ ପ୍ରକଳ୍ପ କାମ ଆଗେଇ ପାରୁନାହିଁ । କାରଣ ରେଳପଥ କାମରେ ଜମି ଅଧିଗ୍ରହଣ ବାଧକ ସାଜିଛି ।

ମାଲକାନଗିରି-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ କୋରାପୁଟ ଜିଲ୍ଳାରେ ୪୫ କିଲୋମିଟର ଓ ମାଲକାନଗିରିରେ ୮୫ କିଲୋମିଟର ରେଳପଥ ହେବ । ୧୧ଟି ଷ୍ଟେସନ ତିଆରି ହେବ ବୋଲି ନିଷ୍ପତି ହୋଇଥିଲା । ଏଥିପାଇଁ ସରକାରୀ ଜମିକୁ ଛାଡ଼ି ୪୫୮ ଏକର ଘରୋଇ ଜମି ଅଧିଗ୍ରହଣ ହେବ । ସେହିପରି ନବରଙ୍ଗପୁର ଠାରୁ ଜୟପୁର ପର୍ଯ୍ୟନ୍ତ ୩୮ କିଲୋମିଟର ରେଳ ପଥ ପାଇଁ ୭୮୦ ଏକର ଘରୋଇ ଜମିର ଆବଶ୍ୟକତା ରହିଛି ।

ମନ୍ଥର ଗତିରେ ଚାଲିଥିବା ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଜୟପୁର ଉପ ଜିଲ୍ଲାପାଳ ତଥା ଯୁବ ଆଇଏସ ହେମନ୍ତ କୁମାର ସଏଙ୍କୁ ଜମି ଅଧିଗ୍ରହଣର ଦାୟିତ୍ୱ ପ୍ରଦାନ କରିଛନ୍ତିି । ହେଲେ କେତେବେଳେ କର୍ମଚାରୀଙ୍କ ଅଭାବ ତ କେତେବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଜନତା । ତେଣୁ ସମୟ ଗଡ଼ୁଛି ହେଲେ ଆଗେଇ ପାରୁନି ପ୍ରକଳ୍ପ କାମ ।