ଅନକ୍ୟାପଡ ଖେଳାଳୀ ଆଇପିଏଲରେ ମଚାଉଛନ୍ତି ଧୁମ । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ମିଳିପାରେ ସୁଯୋଗ ।

ଅନକ୍ୟାପଡ ଖେଳାଳୀ ଆଇପିଏଲରେ ମଚାଉଛନ୍ତି ଧୁମ । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ମିଳିପାରେ ସୁଯୋଗ ।

କନକ ବ୍ୟୁରୋ : ଆଇପିଏଲ ଅନେକ ଖେଳାଳୀଙ୍କୁ ପରିଚିତ କରିଛି । ଆଇପିଏଲରେ ପ୍ରଦର୍ଶନ କାରଣରୁ ଅନେକ ଖେଳାଳୀଙ୍କୁ ଜାତୀୟ ଦଳରୁ ଡାକରା ଆସିଛି । ଆଇପିଏଲ ଏମିତି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠି ଅଜଣା ଖେଳାଳି ରାତାରାତି ଷ୍ଟାର ପାଲଟିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ବୁମରାଙ୍କ ଭଳି ଖେଳାଳୀ ଆଇପିଏଲ ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ । ଠିକ୍ ସେହିଭଳି ଚଳିତ ଆଇପିଏଲରେ ମଧ୍ୟ କିଛି ଏମିତି ଖେଳାଳୀ ସାମ୍ନାକୁ ଆସିଛନ୍ତି ଯେଉଁମାନଙ୍କୁ ଟିମ୍ ଇଣ୍ଡିଆର ଆଗାମୀ ଭବିଷ୍ୟତ ବୋଲି କୁହାଯାଉଛି । ସେହିଭଳି କିଛି ଯୁବ ପ୍ରତିଭା ହେଉଛନ୍ତି ରିଙ୍କୁ ସିଂ, ତିଲକ ବର୍ମା, ତୁଷାର ଦେଶପାଣ୍ଡେ, ଜିତେଶ ଶର୍ମା, ସୁୟଶ ଶର୍ମା, ମୁକେଶ କୁମାର, ଯଶସ୍ୱୀ ଜୟସ୍ୱାଲ ।

ଚଳିତ ଆଇପିଏଲରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ରିଙ୍କୁ ସିଂ । କୋଲକାତା ପାଇଁ ଖେଳୁଥିବା ଏହି ଯୁବ ଖେଳାଳୀ ଶେଷ ଓଭରରେ ୫ଟି ଛକା ମାରି ଆଇପିଏଲର ନୂଆ ଷ୍ଟାର ପାଲଟିଛନ୍ତି । ଗୁଜୁରାଟ ବିପକ୍ଷରେ ୫ଟି ବଲରେ ଲଗାତାର ୫ଟି ଛକା ମାରି କୋଲକାତାକୁ କେବଳ ବିଜୟ ଭେଟି ଦେଇନଥିଲେ ବରଂ ନୂଆ ଫିନିସର ଭାବେ ଉଭା ହୋଇଥିଲେ । ସେହିଭଳି ପଞ୍ଜାବ ବିପକ୍ଷରେ ୧୦ ବଲରୁ ୨୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ରିଙ୍କୁ । ଏବେ ସୁଦ୍ଧା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା ରିଙ୍କୁଙ୍କୁ ଆଗାମୀ ଦିନରେ ଶ୍ରେଷ୍ଠ ଫିନିସର ଭୂମିକାରେ ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀଙ୍କ ଆଶା ରହିଛି ।

ରିଙ୍କୁଙ୍କ ଭଳି ଅନ୍ୟଜଣେ ଅନକ୍ୟାପଡ ଖେଳାଳୀ ହେଉଛନ୍ତି ତିଲକ ବର୍ମା । ମୁମ୍ବାଇ ପକ୍ଷରୁ ଖେଳୁଥିବା ତିଲକ ଅନେକ ସମୟରେ ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ପଏଣ୍ଟ ଟେବୁଲରେ ମୁମ୍ବାଇ ୩ ନମ୍ବର ସ୍ଥାନକୁ ଉଠିବା ପଛରେ ତିଲକଙ୍କର ବଡ ଅବଦାନ ରହିଛି । ଚଳିତ ଆଇପିଏଲରେ ୯ଟି ମ୍ୟାଚରୁ ତିଲକ ୨୭୪ ରନ୍ କରିଛନ୍ତି । କିନ୍ତୁ ନିଜର ଦୁର୍ଦ୍ଦଷ ବ୍ୟାଟିଂ ବଳରେ ଅନେକଙ୍କ ମନ ଜିଣିଛନ୍ତି । ଖୁବଶୀଘ୍ର ତିଲକଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ରହିଛନ୍ତି ।

ଆଇପିଏଲରେ ଦମଦାର ପ୍ରଦର୍ଶନ କରୁଥିବା ଅନ୍ୟ ଜଣେ ଅନକ୍ୟାପଡ ପ୍ଲେୟାର ହେଉଛନ୍ତି ମୁକେଶ କୁମାର । ଯାହାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ପାଇଁ ଟିମ୍ ଇଣ୍ଡିଆର ଷ୍ଟାଣ୍ଡବାଏ କ୍ରିକେଟର ଭାବେ ସାମିଲ କରାଯାଇଛି । ମୁକେଶ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ମଙ୍ଗ ସମ୍ଭାଳିଛନ୍ତି ।

ସେହିଭଳି ଚଳିତ ଆଇପିଏଲରେ ଆଉ ଜଣେ ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ତୁଷାର ଦେଶପାଣ୍ଡେ । ତୁଷାର ଚଳିତ ଆଇପିଏଲରେ ୧୧ଟି ମ୍ୟାଚରୁ ୧୯ଟି ୱିକେଟ ହାସଲ କରିଛନ୍ତି । ପର୍ପଲ କ୍ୟାପ୍ ଦୌଡରେ ତୁଷାର ଆଗରେ ରହିଛନ୍ତି । ଚଳିତ ଆଇପିଏଲ ପୂର୍ବରୁ ଅଜଣା ଥିବା ତୁଷାର ଏବେ ଚେନ୍ନାଇର ଭରସାଯୋଗ୍ୟ ବୋଲର ପାଲଟିଛନ୍ତି ।

ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସର ଜିତେଶ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ନୂଆ ଷ୍ଟାର ଭାବେ ଉଭା ହୋଇଛନ୍ତି । ଆଦୌ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା ଜିତେଶ ବିଦର୍ଭ ପକ୍ଷରୁ ଖେଳି ଆସୁଛନ୍ତି । ଚଳିତ ଆଇପିଏଲରେ ପଞ୍ଜାବ ପକ୍ଷରୁ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦଳର ଆବଶ୍ୟକତା ସମୟରେ ଉପଯୋଗୀ ଇନିଂସ ଖେଳିବାରେ ମାହିର ଥିବା ଜିତେଶ ଆଗକୁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇପାରନ୍ତି ।

ସେହିଭଳି କୋଲକାତା ପକ୍ଷରୁ ଖେଳୁଥିବା ୧୯ ବର୍ଷୀୟ ସୂୟଶ ଶର୍ମା ନିଜର ଦମଦାର ବୋଲିଂ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୂୟଶଙ୍କୁ ଟିମ୍ ଇଣ୍ଡିଆର ଭବିଷ୍ୟତର ସ୍ପିନ ଯାଦୁଗର ବୋଲି କୁହାଯାଉଛି । ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରୁଥିବା ସୂୟଶ ଏଯାବତ ଘରୋଇ କ୍ରିକେଟ ମଧ୍ୟ ଖେଳିନାହାନ୍ତି । ଅନକ୍ୟାପଡ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଚଳିତ ଆଇପିଏଲରେ ଦମଦାର ଫର୍ମରେ ରହିଛନ୍ତି । ରାଜସ୍ଥାନ ପାଇଁ ବଡ ବଡ ଇନିଂସ ଖେଳୁଛନ୍ତି ଜୟସ୍ୱାଲ । ଏବେ ସୁଦ୍ଧା ୪୭୭ ରନ୍ କରି ଜୟସ୍ୱାଲ ଅରେଞ୍ଜ କ୍ୟାପ ଦୌଡରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe