କନକ ବ୍ୟୁରୋ: ୨୦୦୦ ମସିହାରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ନବୀନ । ନିର୍ବାଚନ ପରେ ନିର୍ବାଚନ ଆସିଛି, କିନ୍ତୁ ତାଙ୍କୁ ଚ୍ୟାଲେଂଜ ଦେବା ଭଳି ନେତୃତ୍ୱ ସୃଷ୍ଟି ହୋଇନାହିଁ । ତାଙ୍କରି ନେତୃତ୍ୱରେ ରାଜ୍ୟ ରାଜନୀତିରେ ବିଜେଡି ଅପରାଜେୟ ରହିଛି । ଆଉ ଦୀର୍ଘ ୧୯ ବର୍ଷ ଧରି ନିଷ୍କଂଟକ ଭାବେ ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ରାଜ୍ୟ ଶାସନ ଡୋରି ।

Advertisment

୧୯୯୯ ମହାବାତ୍ୟା, ଓଡ଼ିଶାକୁ ଏପରି ଏକ ମୋଡ଼ରେ ଛିଡ଼ା କରିଥିଲା, ଯେଉଁଠି ରାଜ୍ୟର ଭବିଷ୍ୟତ ଦେଖିବା ଥିଲା ବେଶ କଷ୍ଟକର । ପ୍ରକୃତିର ଏହି ତାଣ୍ଡବ ଲୀଳା, ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା, ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ଭିତିଭୂମି । ଏଭଳି ଏକ କଠିନ ସମୟରେ ନବୀନଙ୍କ ହାତରେ ଶାସନ ଭାର ଦେଇଥିଲେ ରାଜ୍ୟବାସୀ ।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ଆଗରେ ଥିଲା ପାହାଡ଼ ଭଳି ଚ୍ୟାଲେଂଜ । ଗୋଟିଏ ପଟେ ମହାବାତ୍ୟାର ମାଡ଼ରେ ଉଜୁଡି ଯାଇଥିବା ଉପକୂଳ ଓଡ଼ିଶାର ପୁନର୍ଗଠନ, ଅନ୍ୟପଟେ ଦୁର୍ବଳ ଆର୍ଥିକ ସ୍ଥିତିରୁ ଓଡ଼ିଶାକୁ ମୁକାଳି ବିକାଶ ପଥରେ ଆଗେଇ ନେବା, ଏହି ଦୁଇଟି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ । ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଥିଲେ ନବୀନ । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ରାଜ୍ୟବାସୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିଲେ ସେ । ଯାହାର ପ୍ରମାଣ ଥିଲା ୨୦୦୪ ନିର୍ବାଚନ ।

publive-imageପୁଣି ଥରେ ଓଡ଼ିଶାବାସୀଙ୍କ ଭରସା ଓଜାଡି ହୋଇ ପଡିଥିଲା ତାଙ୍କ ଉପରେ । ଦ୍ୱିତୀୟ ଥର କ୍ଷମତାକୁ ଆସିଥିଲେ ନବୀନ । ତେବେ ୨୦୦୯ ନିର୍ବାଚନ ଥିଲା ତାଙ୍କ ପାଇଁ ଅଗ୍ନିପରୀକ୍ଷା । ପ୍ରଥମ ଥର ପାଇଁ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ସେ । ମାତ୍ର ସେତେବେଳକୁ ଓଡ଼ିଶାର ଜନମାନସରେ ନବୀନଙ୍କ ବ୍ୟକ୍ତିତ୍ୱ ହୋଇସାରିଥିଲା ଆକାଶଛୁଆଁ । ଯାହାର ବିଶାଳ ଲୋକପ୍ରିୟତା ଆଗରେ ବିରୋଧୀ ଦଳ ପ୍ରଭାବହୀନ ହୋଇ ଯାଇଥିଲା । ପ୍ରଥମ ଦୁଇ ନିର୍ବାଚନରେ ତାଙ୍କ ବିଜୟର ବଡ ଶ୍ରେୟ ନେଉଥିଲା ବିଜେପି । ୨୦୦୯ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସହ ସେ ପ୍ରମାଣ କରିଥିଲେ ବିଜେଡି ଓ ତାଙ୍କ ନେତୃତ୍ୱର ଏକକ ଲୋକପ୍ରିୟତା ।

publive-imageତେବେ ୨୦୧୪ରେ ସେ ଯାହା କରି ଦେଖାଇଥିଲେ, ତାହା ଥିଲା ରାଜ୍ୟ ରାଜନୀତିରେ ଅନ୍ୟ ଏକ ଇତିହାସ । ଯେଉଁ ପ୍ୟାରୀମୋହନ ମହାପାତ୍ରଙ୍କ ସାଂଗଠନିକ କୌଶଳ, ବିଜେଡି ସଫଳତାର ଚାବିକାଠି କୁହାଯାଉଥିଲା, ତାକୁ ବି ଭୁଲ ପ୍ରମାଣିତ କରିଥିଲେ ନବୀନ । ସାରା ଭାରତରେ ବହୁଥିବା ମୋଦିଙ୍କ ହାୱା ମଧ୍ୟ ପ୍ରଭାବହୀନ ହୋଇଥିଲା । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ । ଏହି ନିର୍ବାଚନରେ ବିରୋଧୀ ଦଳକୁ ଏକପ୍ରକାର ନିଷ୍ପ୍ରଭ କରି ନବୀନ ପ୍ରମାଣ କରିଥିଲେ ଯେ, ଦଳ ଭିତରେ ଓ ଦଳ ବାହାରେ ସେ ହିଁ ଅପ୍ରତିଦ୍ୱନ୍ଦ୍ୱୀ ନେତା ।

ସେହିଭଳି ଚଳିତ ସାଧାରଣ ନିର୍ବାଚନରେ ପୂର୍ବଭଳି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତି ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଲେ ନବୀନ । ୧୧୨ ବିଧାନସଭା ଓ ୧୨ ଲୋକସଭା ଆସନକୁ ଅକ୍ତିଆର କରି କ୍ରମାଗତ ୫-୫ଥରର ମୁଖ୍ୟମନ୍ତ୍ରୀ ବନିଚନ୍ତି ନବୀନ । ଆଉ ଏହାପରେ ସରକାରକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ପରେ ଯୋଜନା କରିଚାଲିଛନ୍ତି ନବୀନ । ନା କେବେ ଥମିଛନ୍ତି ନା, ଆରାମ କରିଛନ୍ତି । ନିର୍ବାଚନ ପରେ ପରେ ଅଧିକ ସକ୍ରିୟ ହୋଇ ସରକାରକୁ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ।