ମନଇଚ୍ଛା କାଟି ପାରିବେନି ତାଳଗଛ: ବିନା ଅନୁମତିରେ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ

186

କନକ ବ୍ୟୁରୋ: ବଜ୍ରପାତକୁ ଅଟକାଇବ ତାଳଗଛ ! ବର୍ଷା ଦିନେ କିମ୍ବା କାଳବୈଶାଖୀ ବେଳେ ବଢୁଥିବା ବଜ୍ରପାତକୁ ଦେଖି ରାଜ୍ୟ ସରକାର ଏବେ ତାଳ ଗଛ ଲଗାଇବା ଉପରେ ଜୋର ଦେଇଛନ୍ତି । ଏପରିକି ନିଜ ଜମିରେ ତାଳଗଛ ଲାଗିଥିଲେ ବି କାଟିବା ଉପରେ କଟକଣା ଲଗାଇଛନ୍ତି ସରକାର । ରାଜ୍ୟରେ ବଜ୍ରପାତ ଜନିତ ମୁତ୍ୟୁ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ।

ଏଣିକି ମନ ଇଚ୍ଛା କାଟି ହେବ ନାହିଁ ତାଳ ଗଛ । ନିଜ ଜମିରେ ଥିବା ତାଳ ଗଛ ମଧ୍ୟ କାଟିବା ଆଗରୁ ବନ ବିଭାଗର ଅନୁମତି ନେବାକୁ ପଡିବ । ବିନା ଅନୁମତିରେ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ରୋକିବା ଦିଗରେ ଏଭଳି କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର  । ଗତ ୫ ବର୍ଷର ତଥ୍ୟ ଉପରେ ନଜର ପକାନ୍ତୁ

ଘାତକ ହେଉଛି ବଜ୍ରପାତ

ରାଜ୍ୟରେ ବଜ୍ରପାତରେ ୧୪ଶହ ୭୨ ଜଣଙ୍କ ଜୀବନ ଯାଇଛି

୧୪୫ ଜଣ ଆହତ ହୋଇଛନ୍ତି

୨୦୨୧-୨୨ ବର୍ଷରେ ବଜ୍ରପାତ ନେଇଛି ୨୮୧ ଜୀବନ

୨୦୨୨-୨୩ ବର୍ଷରେ ୯୮୧ ଜଣଙ୍କ ମୃତ୍ୟୁ

ଗ୍ରାମାଞ୍ଚଳରେ ବଜ୍ରପାତ ମୃତ୍ୟୁ ୯୦ ପ୍ରତିଶତ

ସହରାଞ୍ଚଳରେ ବଜ୍ରପାତ ମୃତ୍ୟୁ ୧୦ ପ୍ରତିଶତ

ବଜ୍ରପାତ ମୁକାବିଲା ପାଇଁ ବଡ଼ ନିଷ୍ପତି ନେଇଛି ବନ ବିଭାଗ  । ଚଳିତ ବର୍ଷ ରାଜ୍ୟରେ ଲଗାଯିବ ୧୯ ଲକ୍ଷ ତାଳଗଛ  । ଏଥିପାଇଁ ସରକାର ଖର୍ଚ୍ଚ କରିବେ ପ୍ରାୟ ସାଢେ ୭ କୋଟି ଟଙ୍କା  । ପ୍ରତି ଫରେଷ୍ଟ ବ୍ଲକର ଚାରି ପଟେ ତାଳ ଗଛ ଲଗାଯିବ । ତାଳ ଗଛ ଲଗାଇବା ପାଇଁ କୃଷି ବିଭାଗକୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଦିନକୁ ଦିନ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ଏଭଳି ନିଷ୍ପତି ନିଆଯାଇଛି  ।

ବଜ୍ରପାତ ମୃତ୍ୟୁ ରୋକିବାରେ ତାଳ ଗଛର ରହିଛି ବଡ଼ ଭୂମିକା  । ତେଣୁ ପାରମ୍ପରିକ ପଦ୍ଧତିରେ ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର  । ଗ୍ରାମାଂଚଳରେ ବହୁ ପରିମାଣର ତାଳଗଛ ଲଗାଇବାକୁ ୨୦୨୩ ସେପ୍ଟେମ୍ବରରେ ନିଷ୍ପତି ହୋଇଥିବା ବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ  । ସେପଟେ ତାଳ ଗଛ ଲଗାଇଲେ ହାତୀଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟ ଉପଲବ୍ଧ ହେବ ବୋଲି କହିଛି ବନ ବିଭାଗ