କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜୟଦେବ ଉନାଦକତ ଘରୋଇ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି । ସୌରାଷ୍ଟ୍ର ଟିମର ଅଧିନାୟକ ଥିବା ଉନାଦକତ ଏବେ ରଣଜୀ ଟ୍ରଫିରେ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ପ୍ରଥମ ଓଭରରେ ହିଁ ହ୍ୟାଟ୍ରିକ ୱିକେଟ ହାସଲ କରିବା ସହ ରେକର୍ଡ କରିଛନ୍ତି ଉନାଦକତ ।

Advertisment

ଦିଲ୍ଲୀ ଟିମ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଉନାଦକତ । ପ୍ରଥମ ଓଭରରୁ ହିଁ ହ୍ୟାଟ୍ରିକ ୱିକେଟ ନେଇ ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମ ଓଭରର ତୃତୀୟ ବଲରେ ଧ୍ରୁବ ଶୋରୀ, ଚତୁର୍ଥ ବଲରେ ବୈଭବ ରାୱଲ ଓ ପଞ୍ଚମ ବଲରେ ଅଧିନାୟକ ୟାସ୍ ଧୁଲଙ୍କୁ ପ୍ୟାଭିଲିୟନ ପଠାଇ ଦିଲ୍ଲୀ ଦଳକୁ ପ୍ରାରମ୍ଭିକ ଝଟକା ଦେଇଥିଲେ । ଯାହା ଫଳରେ ମାତ୍ର ୫୩ ରନରେ ଦିଲ୍ଲୀ ୮ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ହିତ୍ରିକ ଶୌକିନଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଦିଲ୍ଲୀ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି । ୮ଟି ୱିକେଟରୁ ଉନାଦକତ ୬ଟି ୱିକେଟ ନେବାରେ ସକ୍ଷମ ହେବା ସହ ସୌରାଷ୍ଟ୍ରକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ତେବେ ହ୍ୟାଟ୍ରିିକ ୱିକେଟ ନେଇ ଉନାଦକତ ରଣଜୀ ଇତିହାସରେ ନୂଆ ରେକର୍ଡ କରିଛନ୍ତି । ପ୍ରଥମ ଓଭରରେ ହ୍ୟାଟ୍ରିକ ନେବାର ରେକର୍ଡ ହାସଲ କରିଛନ୍ତି ଉନାଦକତ ।

ଏବେ ଉନାଦକତଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିଥିଲା । ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଟିମକୁ କମବ୍ୟାକ୍ କରିବାକୁ ସୁଯୋଗ ପାଇଥିଲେ ଉନାଦକତ । ଏହାପୂର୍ବରୁ ୧୬ ଡିସେମ୍ବର ୨୦୧୦ରେ ସେଞ୍ଚରିଆନ ଟେଷ୍ଟରେ ଟିମ୍ ଇଣ୍ଡିଆ ତରଫରୁ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ ଉନାଦକତ ।