ଉଠା ଜଳସେଚନ ପ୍ରକଳ୍ପକୁ ହୋଇ ପାରୁନି ବିଦ୍ୟୁତ ସଂଯୋଗ । ପଡିଆ ପଡିଛି ୫୦ ଜଣ ଚାଷୀଙ୍କ ଏକର ଏକର ଜମି ।

35

କନକ ବ୍ୟୁରୋ: ବିଦ୍ୟୁତ ବିଭାଗ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପଡିଆ ପଡୁଛି ୩୦ ଏକରରୁ ଉଦ୍ଧ୍ୱ ଚାଷ ଜମି । ୩ ବର୍ଷ ହେବ ଦୁର୍ଦ୍ଦଶା ଭାଗୁଛନ୍ତି ୫୦ରୁ ଅଧିକ ଚାଷୀ । ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣା କରିବା ପାଇଁ ଜଳ ସେଚନର ସୁବିଧା କରୁଛନ୍ତି, କିନ୍ତୁ ଯୋଜନାର କାର୍ଯ୍ୟକାରିତା କରୁଥିବା ବିଭାଗର ଉଦାସୀନତା ଯୋଗୁଁ ଚାଷ କରିନପାରି ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ ।

ବାଲେଶ୍ୱର ବାଲିଆପାଲ ବ୍ଲକ ଜାଠିଆ ଗାଁର ଚାଷୀ ନାରାୟଣ ପଣ୍ଡା, ୨୦୧୮ରେ ନିଜ ଜମିରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ବସାଇଥିଲେ। ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗରେ ଆବେଦନ କରିଥିଲେ । ବିଭାଗ ପକ୍ଷରୁ ଠିକାଦାର ନିକୁଞ୍ଜ ରାଉଳକୁ ବିଦ୍ୟୁତ୍ ସଂଯୋଗ ଦାୟିତ୍ୱ ଦିଆଯାଇଥିଲା । ହେଲେ ଠିକାଦାର ଜଣଙ୍କ, ବିଦ୍ୟୁତ ସଂଯୋଗ ପାଇଁ ୫ଟି ବିଦ୍ୟୁତ୍ ଖୁଂଟ ବାବଦକୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାରି ଭିତରେ ସେ ୫ଟି ବଦଳରେ ୪ଟି ଖୁଂଟି ବସାଇ ୧ ଲକ୍ଷ ୩ ହଜାର ଟଙ୍କା ନେଇ ସାରିଛି, କିନ୍ତୁ ବିଦ୍ୟୁତ ସଂଯୋଗ ନକରି ଆହୁରି ୮୦ ହଜାର ଟଙ୍କା ଦାବି କରୁଛି । ଏନେଇ ଚାଷୀ ଜଣଙ୍କ ବସ୍ତା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ କମଳ ଲୋଚନ ମହାନ୍ତିଙ୍କୁ ଭେଟି ଗୁହାରି କରିଛନ୍ତି, କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଚାଷ ଜମିରେ ହୋଇଥିବା ଏହି ପ୍ରକଳ୍ପ ଉପରେ ଭରସା କରି ୫୦ରୁ ଅଧିକ ଚାଷୀ ୩ ବର୍ଷରେ ୬ ଥର ଧାନ ତଳି ପକାଇଛନ୍ତି, ହେଲେ ଠିକାଦାର ନିକୁଂଜ ଠିକ୍ ବିଦ୍ୟୁତ ସଂଯୋଗ ନଦେବାରୁ ଚାଷ ନଷ୍ଟ ହୋଇଛି । ଏଥର ବି ଠିକାଦାରକୁ ଭରସା କରି ଚାଷୀ, ରବି ଋତୁରେ ନାଳ ପୋଖରୀରୁ ପାଣି ତଳି ପକାଇଛନ୍ତି, କିନ୍ତୁ ପାଣି ନପାଇ ଏବର୍ଷ ବି ଚାଷ ନଷ୍ଟ ହେବାର ଆଶଙ୍କା ରହିଛି । ଏବାବଦରେ ବସ୍ତା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ମୋହାନ୍ତିଙ୍କୁ ପଚାରିବାରୁ ସେ ଗଣମାଧ୍ୟମ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।