ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ଦୟନୀୟ ଚିତ୍ର: ପାଖରେ ନ ଥିଲା ଟଙ୍କା, ମିଳିଲାନି ଆମ୍ବୁଲାନ୍ସ; ରୋଗୀଣା ସ୍ତ୍ରୀଙ୍କୁ ଧରି ଚିକିତ୍ସା ପାଇଁ ଟ୍ରଲିରେ ପୁରୀରୁ ଆସିଲେ କଟକ

122

କନକ ବ୍ୟୁରୋ: ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର । କଟକ ରାସ୍ତାରେ ଦେଖିବାକୁ ମିଳିଛି ଏପରି କରଣ ଦୃଶ୍ୟ ଯାହା ଦେଖିଲେ ସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଚକିତ୍ସା ପାଇଁ ସ୍ତ୍ରୀକୁ ଟ୍ରଲିରେ ବସାଇ ପୁରୀରୁ କଟକକୁ ଆସିଛନ୍ତି ପୁରୀ ସା କ୍ଷୀଗୋପାଳର କବିର ସ୍ୱାଇଁ । ସ୍ତ୍ରୀର ଚିକିତ୍ସା ପାଇଁ ଅଟୋ ଭଡା ପାଇଁ ପାଖରେ ଟଙ୍କା ନଥିଲା, ଅନ୍ୟପଟେ ସରକାରୀ ଆମ୍ବୁଲାନ୍ସ ମଧ୍ୟ ମିଳିଲା ନାହିଁ । ଫଳରେ ବାଧ୍ୟ ହୋଇ ପୁରୀ ସାକ୍ଷୀଗୋପାଳରୁ ଏକ ଟ୍ରଲିରେ ନିଜ ସ୍ତ୍ରୀକୁ ବସାଇ ପେଡାଲ ମାରି ସେ କଟକ ବଡ ମେଡିକାଲରେ ପହଂଚିଥିଲେ । କଟକରେ ତାଙ୍କ ଦୁଃଖ ଶୁଣିବା ପରେ ସମାଜସେବୀ ଅଭିମନ୍ୟୁ ଦାସଙ୍କ ସହାୟତାରେ କବିରଙ୍କ ସ୍ତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।

ଦୀର୍ଘଦିନ ହେବ କବିରଙ୍କ ସ୍ତ୍ରୀଙ୍କ ଗୋଡହାତ ଥରୁଥିବାରୁ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ୫ ଦିନ ଚିକିତ୍ସା କରିବା ପରେ ଡାକ୍ତର ଏସସିବି ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ କବିର ଆମ୍ବୁଲାନ୍ସ ବୁଝିବାକୁ ଯାଇଥିଲେ, ହେଲେ କେହି ଯିବାକୁ ରାଜି ହୋଇନଥିଲେ । କଟକ ଯିବା ପାଇ ଅଟୋ ୧୨ ଶହ ଟଙ୍କା ଭଡା ମାଗିବାରୁ ଏତେ ଟଙ୍କା ଦେଇନପାରି ବାଧ୍ୟହୋଇ ଏକ ଟ୍ରଲିରେ ସ୍ତ୍ରୀକୁ ବସାଇ କଟକ ଆସିଥିଲେ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି, ହେଲେ ଗରିବ ଲୋକଙ୍କୁ ସେ ସୁବିଧା ମିଳିପାରୁ ନାହିଁ ।