ଏଲଏସିରେ ଉତ୍ତେଜନା । ଭାରତ-ଚୀନ ସେନା ମୁହାଁମୁହିଁ ନେଇ ଉଦବେଗ ପ୍ରକାଶ କଲା ଜାତିସଂଘ । ଉଭୟ ଦେଶ ଶାନ୍ତି ବଜାୟ ରଖିବାକୁ ଜାତିସଂଘ ମହାସଚିବଙ୍କ ଆହ୍ୱାନ ।

521

କନକ ବ୍ୟୁରୋ: ଚୀନ ସୀମାରେ ବଡ ଧରଣର ସଂଘର୍ଷ ହୋଇଛି । ଗତକାଲି ରାତିରେ ଲଦାଖ ସୀମାରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୩ ଜଣ ଚୀନ ସେନା ମୃତାହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ଟୁଇଟ କରିଛି ଏଏନଆଇ । ତେବେ ଦୁଇ ଦେଶ ମଧ୍ୟରେ ବଢୁଥିବା ତୀବ୍ରତାକୁ ନେଇ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଛି । ଉଭୟ ପକ୍ଷକୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ମିଳିତ ଜାତିସଂଘ ମହାସଚିବ । ଭାରତ-ଚୀନ ସୀମାରେ ଦେଖାଯାଇଥିବା ସ୍ଥିତିକୁ ନେଇ ଜାତିସଂଘ ଚିନ୍ତିତ ଏବଂ ଦୁଇ ଦେଶ ସ୍ଥିତି ସୁଧାର କରିବା ନେଇ ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ ବୋଲି ମହାସଚିବ କହିଛନ୍ତି ।

ଅନ୍ୟପଟେ ଏଲଏସିରେ ଚୀନ ହେଲିକପ୍ଟର ଉଡୁଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ଖବର ଆସିଥିଲା ଜଣେ କର୍ଣ୍ଣେଲ ଓ ୨ ଯବାନ ସହିଦ ହୋଇଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁସାରେ ଡ୍ରାଗନ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଦେଶର ସାର୍ବଭୌମତ୍ୱର ସୁରକ୍ଷା କରିବାକୁ ଯାଇ ସେମାନେ ଦେଶପାଇଁ ଜୀବନ ବଳିଦାନ ଦେଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ତେବେ ଘଟଣା ସ୍ଥଳରେ ଶୂନ ଡିଗ୍ରୀରୁ କମ୍ ତାପମାତ୍ରା ସହ ଉଚ୍ଚ ଅକ୍ଷାଂଶ ଯୋଗୁଁ ଆହତ ଯବାନମାନେ ସହିଦ ହୋଇଥିବା ସ୍ପଷ୍ଟ କରିଛି ସେନା ।

ଭାରତୀୟ ଯବାନ ସହ ସଂଘର୍ଷରେ ମୃତାହତ ଯବାନଙ୍କୁ ହେଲିକପ୍ଟର ସହାୟତାରେ ଚୀନ ନେଉଥିବା ଜଣାପଡିଛି । ଏହି ସୂଚନା ପରେ ହିମାଚଳପ୍ରଦେଶର ଚୀନ ସୀମାରେ ଭାରତୀୟ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଲଦାଖ ସୀମାରେ ମେ’ ୫-୬ ତାରିଖରୁ ଚୀନ ସେନା ସହ ଲାଗିରହିଥିବା ଉତେଜନା ସୋମବାର ରାତିରେ ହିଂସାତ୍ମକ ରୁପ ନେଇଥିଲା ।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ଯବାନଙ୍କ ଉପରେ ଲୁହା ରଡ ଓ ପଥରରେ ଆକ୍ରମଣ କରିଛି ପିପୁଲ୍ସ ଲିବରେସନ୍ ଆର୍ମି । ପୂର୍ବ ଲଦାଖ ଓ ଅକ୍ସାଇ ଚୀନକୁ ଭାଗ କରୁଥିବା ଲାଇନ ଅଫ ଆକଚୁଆଲ କଂଟ୍ରୋଲ- ଏଲଏସିର ଗାଲୱାନ ଘାଟି ଅଂଚଳରେ ଏହି ହିଂସାକାଣ୍ଡ ହୋଇଛି । ସୀମା ବିବାଦକୁ ନେଇ ଦୁଇ ଦେଶ ଆଲୋଚନା ଜରିଆରେ ସମାଧାନର ବାଟ ଫିଟାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ସଂଘର୍ଷ ସ୍ଥିତିକୁ ଆହୁରି ଜଟିଳ କରିପକାଇଛି ।