କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ପ୍ରଥମେ ଜର୍ମାନ ଓ ପରେ ଆମେରିକା କେଜ୍ରିୱାଲଙ୍କ ଗିରଫକୁ ନେଇ ପରୋକ୍ଷରେ ଭାରତ ସରକାରଙ୍କୁ ସମାଲୋଚନା କରାଯିବା ପରେ ଏବେ ଜାତିସଂଘ ବୟାନ ରଖିଛି । ଜାତିସଂଘ ମହାସଚିବ ଏନ୍ତୋନିୟୋ ଗୁତାରେସଙ୍କର ଜଣେ ପ୍ରବକ୍ତା କହିଛନ୍ତି କି, ‘ଆଶା କରାଯାଉଛି ଭାରତ ତଥା ଅନ୍ୟ କୌଣସି ବି ଦେଶ, ଯେଉଁଠାରେ ନିର୍ବାଚନ ହେବାକୁ ଯାଉଛି ସେଠାରେ ଲୋକଙ୍କର ରାଜନୈତିକ ଓ ନାଗରିକ ଅଧିକାର ରକ୍ଷା କରାଯିବାର ଆବଶ୍ୟକତା ରହିଛି ଓ ଫଳରେ କେହି ବି ସ୍ୱତନ୍ତ୍ର ଭାବେ ନିରପେକ୍ଷ ମତଦାନ କରିପାରିବେ’ । ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫନ ଦୁଜାରିକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଓ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ ମାମଲା ଉପରେ ପଚାରା ଯାଇଥିବା ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ।
ଦୁଜାରିକ ବୁଧବାର ଦିନ ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ‘ଆମର ଦୃଢ ବିଶ୍ୱାସ ରହିଛି କି ଭାରତ ତଥା ଅନ୍ୟ କୌଣସି ବି ଦେଶ ଯେଉଁଠାରେ ନିର୍ବାଚନ ହେବାକୁ ଯାଉଛି ସେଠିକାର ସରକାର ନିଜ ନାଗରିକଙ୍କ ରାଜନୈତିକ ଅଧିକାର ସୁରକ୍ଷିତ ରଖିବେ’ । ସଂଯୁକ୍ତ ରାଷ୍ଟ୍ରର ଏଭଳି ପ୍ରତିକ୍ରିୟା ଆସିବାର ଗୋଟିଏ ଦିନ ପୂର୍ବରୁ ଆମେରିକା ତରଫରୁ ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ତଥା କଂଗ୍ରେସ ପାର୍ଟିର ବ୍ୟାଙ୍କ ଖାତା ଅଚଳ କରିବା ପ୍ରସଙ୍ଗରେ ପାଖାପାଖି ସମାନ ମତ ରଖିଥିଲା ।