କନକ ବ୍ୟୁରୋ : ପୁଣି ମାନବ ବିକାଶ ସୂଚକାଙ୍କରେ ଗୋଟିଏ ପଏଣ୍ଟ ତଳକୁ ଖସିଲା ଭାରତ । ଜାତିସଂଘ ଦ୍ୱାରା ୧୮୯ ଦେଶକୁ ନେଇ କରାଯାଇଥିବା ଏହି ସୂଚକାଙ୍କ ପ୍ରସ୍ତୁତିରେ ଭାରତର ସ୍ଥାନ ୧୩୧ ରହିଛି । ହେଲେ ୨୦୧୮ ମସିହାରେ ଭାରତର ସ୍ଥାନ ୧୩୦ ରେ ଥିଲା । ଦେଶର ସ୍ୱାସ୍ଥ୍ୟ, ଜୀବନ ଧାରଣମାନ ଓ  ଶିକ୍ଷାର ମାନକୁ ନେଇ ଜାତସଂଘ ମାନବ ବିକାଶ ସୂଚକାଙ୍କ ପ୍ରସ୍ତୁତ କରିଥାଏ ।

Advertisment

ୟୁଏନଡିପି ବା ( ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ) ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ମୁତାବକ ଜନ୍ମ ସମୟରେ ଭାରତୀୟଙ୍କ ଆୟୁଷ ୬୯.୭ ବର୍ଷ ଆକଳନ କରାଯାଇଛି । ଯାହାକି ପଡୋଶୀ ବାଂଲାଦେଶରେ ହାରାହାରି ଆୟୁଷ ତୁଳନାରେ କମ୍ । ଅର୍ଥାତ ବାଂଲାଦେଶରେ ହାରାହାରି ଆୟୁଷ ୭୨.୬ ବର୍ଷ ରହିଛି । ଏହାହସ ୨୦୧୯ ରେ ଭାରତର ଏଚଡିଆଇ ମୂଲ୍ୟ ୦.୬୪୫ ରହିଛି, ଯାହାକି ଜାତିସଂଘ ସୂଚକାଙ୍କରେ ମଧ୍ୟମ ବିକାଶ ବର୍ଗ ବୋଲି ଦର୍ଶାଯାଇଛି । ଏହି ସୂଚକାଙ୍କର ଶୀର୍ଷରେ ନରୱେ ଥିବା ବେଳେ ତା ପଛକୁ ରହିଛି ଆୟର୍ଲାଣ୍ଡ, ସ୍ୱିଜରଲାଣ୍ଡ, ହଂକଂ ଓ ଆଇସଲାଣ୍ଡ । ରିପୋର୍ଟ ମୁତାବକ ଭାରତ କାମ୍ବୋଡିଆ, ଥାଇଲାଣ୍ଡର ଶିଶୁ ମାନେ ଅନ୍ୟ ଦେଶ ମାନଙ୍କ ତୁଳନାରେ ଅଧିକ କୁପୋଷଣରେ ଶିକାର ହୋଇଥା’ନ୍ତି । ଜାତିଂଘ ଏହି ରିପୋର୍ଟରେ ଭାରତ ବାବଦରେ ଆଉ ଏକ ଲଜ୍ଜାଜନକ ତଥ୍ୟ ପ୍ରକାଶ କରିଛି । ଯାହାକି ଭାରତରେ ମାଆବାପା ମାନେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କୁ ଅଧିକ ଅବହେଳା କରୁଥିବାରୁ ଝିଅ ମାନଙ୍କ ଠାରେ ଅଧିକ କୁପୋଷଣ ଦେଖା ଦେଇଥାଏ । ଏହାସହ ଜଳବାୟୁ ପରିବର୍ତ୍ତନ ମଧ୍ୟ ପିଲା ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।

ରିପୋର୍ଟ ମୁତାବକ ପୂର୍ବବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଭାରତୀୟ ମାନଙ୍କର କ୍ରୟଶକ୍ତି ସମାନତା କମିଛି । ୨୦୧୮ ରେ କ୍ରୟଶକ୍ତି ସମାନତା ଆଧାରରେ ଭାରତୀୟ ମାନଙ୍କର ମୁଣ୍ଡପିଛା ଆୟ ୬.୮୨୯ ଡଲାର ଥିବା ବେଳେ ଏହା ତଳକୁ ଖସି ୨୦୧୯ ରେ ୬.୬୮୧ ଡଲାରକୁ ହ୍ରାସ ପାଇଛି । ଆର୍ଥିକ ନିରାପତ୍ତା ଓ ଜମି ମାଲିକାନା ମହିଳା ମାନଙ୍କ ସୁରକ୍ଷା ବଢାଇବା ସହ ଲିଙ୍ଗଗତ ହିଂସା ହ୍ରାସ କରିଥାଏ ବୋଲି ରିପୋର୍ଟରେ କୁହାଯାଇଛି ।