ବାତ୍ୟା ମୁକାବିଲା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ଅଧିକାରୀଙ୍କ ପ୍ରଶଂସା । କହିଲେ, ବିପର୍ଯ୍ୟୟ ମୁକାବିଲା କେମିତି କରାଯାଏ ନବୀନଙ୍କ ଠାରୁ ଶିଖିବା କଥା ।

752

କନକ ବ୍ୟୁରୋ: ବାତ୍ୟା ମୁକାବିଲା ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘ ଅଧିକାରୀ । ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବାର ଆବଶ୍ୟକତା ରହିଛି ବୋଲି ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବିପର୍ଯ୍ୟୟ ପ୍ରଶମନ ମୁଖ୍ୟ ଅଧିକାରୀ ମାନି ମିଜୁ ତୋରି କହିଛନ୍ତି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି । ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ବାତ୍ୟା ଭଳି ବିପର୍ଯ୍ୟୟକୁ ସଠିକ ଢ଼ଙ୍ଗରେ ମୁକାବିଲା କରିପାରିଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ୧୯୯୯ ମହାବାତ୍ୟା ପରେ କ୍ଷମତାକୁ ଆସିଥିବା ନବୀନ ସରକାର ବିପର୍ଯ୍ୟୟ ମୁକାବିଲା ଦିଗରେ ନେଇଥିବା ପଦକ୍ଷେପ ବଡ଼ ଧରଣର କ୍ଷୟକ୍ଷତିକୁ ରୋକି ପାରିଛି । ଏହା ପୂର୍ବରୁ ୨୦୧୩ ମସିହାରେ ଫାଇଲିନ ବାତ୍ୟା ସମୟରେ ମଧ୍ୟ ସମାନ ଢ଼ଙ୍ଗରେ ଜାତିସଂଘ ଓଡ଼ିଶାକୁ ପ୍ରଶଂସା କରିଥିଲା । ମହାବାତ୍ୟା ଭଳି ଫାଇଲିନ ବାତ୍ୟା ମଧ୍ୟ ବେଶ ଭୟଙ୍କର ଥିଲା । କିନ୍ତୁ ଓଡ଼ିଶା ସରକାର ଧନ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ସମୟରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ଜାତିସଂଘ ଅଧିକାରୀ କହିଛନ୍ତି ।