ପାକିସ୍ତାନକୁ ଜାତିସଂଘର ବଡ ଝଟକା । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନା’ । ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ ପାଇଁ କହିଲେ ୟୁଏନ ମହାସଚିବ ।

247

କନକ ବ୍ୟୁରୋ : ପାକିସ୍ତାନକୁ ଜାତିସଂଘର ବଡ଼ ଝଟକା । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନା’ । ପ୍ରତି କଥାରେ ଜାତିସଂଘର ଚେତାବନୀ ଦେଉଥିବା ପାକିସ୍ତାନକୁ ସେହି ଜାତିସଂଘରୁ ହିଁ ମିଳିଛି ବଡ଼ ଝଟକା । କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ ବନାଇବା ପାଇଁ ଅନବରତ କସରତ କରୁଥିବା ପାକିସ୍ତାନର ଅବସ୍ଥା ଏବେ ଏମିତି ହୋଇଛି ଯେ, ନିଜ ଦୁଃଖ ନା’ କାହାକୁ କହି ପାରୁଛି ନା’ ଛାତି ତଳେ ଲୁଚାଇ ପାରୁଛି । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଜାତିସଂଘ ନିକଟରେ ଫେରାଦ ହୋଇଥିବା ସଦ୍ୟତମ ଉଦ୍ୟମ ପୁଣି ଥରେ ବିଫଳ ହୋଇଛି ।

କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ମହାସଚିବଙ୍କ ବଡ଼ ବୟାନ । କହିଲେ, ଆପୋଷ ବୁଝାମଣାରେ ହେଉ କାଶ୍ମୀର ପ୍ରସଙ୍ଗର ସମାଧାନ । ପାକିସ୍ତାନର ମଧ୍ୟସ୍ଥତା ପ୍ରସ୍ତାବକୁ ଖାରଜ କଲେ ମହାସଚିବ । ଜାତିସଂଘରେ ପାକିସ୍ତାନର ପ୍ରତିନିଧି ମଲିହା ଲୋଧିଙ୍କ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରଖାଯାଇଥିଲା, ଯେଉଁଥିରେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ମହାସଚିବ, ଭାରତ-ପାକିସ୍ତାନର ସବୁଠୁ ବିବାଦୀୟ ମାମଲାରେ ମଧ୍ୟସ୍ଥତା କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା । ହେଲେ ଏଭଳି ଏକ ପ୍ରସ୍ତାବକୁ କର୍ଣ୍ଣପାତ ନକଲା ଭଳି ସିଧାସିଧା ଶୁଣାଇ ଦେଇଛିି ଜାତିସଂଘ ।

ତେହରିକ-ଏ-ତାଲିବାନ-ପାକିସ୍ତାନ ଉପରେ ସାଂସନ୍ । ପାକିସ୍ତାନୀ ଆତଙ୍କୀ ଉପରେ ଆମେରିକାର କଟକଣା । ସେପଟେ ଆଉ ଏକ ଘଟଣାକ୍ରମରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଉପରେ କଟକଣା ଲଗାଇଛି ଆମେରିକା । ୯/୧୧ର ବର୍ଷପୂର୍ତି ଅବସରରେ ୨ ଡଜନ ଆତଙ୍କୀ ଓ ୧୧ଟି ଆତଙ୍କବାଦୀ ସଂଗଠନ ବିରୋଧରେ ସାଂସନ ଲଗାଇଛି ଟ୍ରମ୍ପ ପ୍ରଶାସନ । ଏକ ଏଗଜିକ୍ୟୁଟିଭ ଅର୍ଡର ବଳରେ ଏହି କଟକଣା ଲଗାଯାଇଛି । ଯାହା ଭିତରେ ଅଛି ତେହରିକ-ଏ-ତାଲିବାନ-ପାକିସ୍ତାନ ମୁଖ୍ୟ ମୁଫତି ନୁର ୱାଲି ମେହସୁଦ । ଟିଟିପି ମୁଖ୍ୟ ମୁଲ୍ଲା ଫଜଲୁଲାର ମୃତ୍ୟୁ ପରେ ସଂଗଠନର ଦାୟିତ୍ୱ ନେଇଥିଲା ନୁର ୱାଲି । ତାରି ନେତୃତ୍ୱରେ ପାକିସ୍ତାନରେ ଅନେକ ଆତଙ୍କବାଦୀ ହମଲା ହୋଇଥିବା ଆମେରିକା ଷ୍ଟେଟ ଡିପାର୍ଟମେଂଟ କହିଛି । ଏସବୁ ଆତଙ୍କବାଦୀ ଓ ସଂଗଠନ ବିରୋଧରେ ସାଂସନର ଅର୍ଥ ବିଶ୍ୱର ଯେକୌଣସି ସ୍ଥାନରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଆମେରିକା ।

୯/୧୧ରେ ବିଶ୍ୱ ବାଣିଜ୍ୟ ସଂଗଠନରେ ହୋଇଥିଲା ଆକ୍ରମଣ । ଆତଙ୍କବାଦକୁ ସାରାବିଶ୍ୱ ପ୍ରତି ବିପଦ ବୋଲି କହିଲେ ମୋଦି । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ଆତଙ୍କବାଦ ସାରା ବିଶ୍ୱ ପାଇଁ ବିପଦ ହୋଇଥିବାବେଳେ ପଡୋଶୀ ମାଟିରେ କାୟା ମେଲୁଥିବା ମୋଦି କହିଛନ୍ତି । ଆମେରିକାର ଚିକାଗୋରେ ବିଶ୍ୱ ଶାନ୍ତି ପାଇଁ ବାର୍ତା ଦେଇଥିଲେ ସ୍ୱାମୀ ବିବେକାନନ୍ଦ । ହେଲେ ଆମର ଦୁର୍ଭାଗ୍ୟ ସେହି ଆମେରିକାରେ ସେପ୍ଟେମ୍ବର ୧୧ରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିବା କହି ୯/୧୧କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।