୨ ନିୟୁତ ଟପିଲା ବିଶ୍ୱରେ କରୋନାଜନିତ ମୃତ୍ୟୁ । ଜାତିସଂଘ ମୁଖ୍ୟ କହିଲେ, ବିଜ୍ଞାନ ସଫଳ ହେଉଛି, କିନ୍ତୁ ସହଯୋଗ ବିଫଳ ହେଉଛି । 

140

କନକ ବ୍ୟୁରୋ : ବିଶ୍ୱରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇ ନିୟୁତ ଟପିବା ପରେ ଶୁକ୍ରବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍‌ କହିଛନ୍ତି ଯେ, ଏହି ଭୂତାଣୁର ମୁକାବିଲା କରିବାକୁ ବିଶ୍ୱରେ ସହଯୋଗର ବିଫଳତା ପରିଲକ୍ଷତ ହେଉଛି । ସେ କହିଛନ୍ତି, ଆଜି ଆମେ ଟିକା କ୍ଷେତ୍ରରେ ଏକ ଶୂନ୍ୟତା ଉପଲବ୍ଧି କରୁଛନ୍ତି । ଅଧିକ ଆୟକାରୀ ଦେଶମାନଙ୍କରେ ଟିକା ତୁରନ୍ତ ପହଞ୍ଚି ଯାଉଥିବା ବେଳେ ଗରିବ ରାଷ୍ଟ୍ରମାନେ ଟିକା ପାଉନାହାନ୍ତି । ଚେତାବନୀ ଦେଇ ସେ କହିଛନ୍ତି, ବିଜ୍ଞାନ ସଫଳ ହେଉଛି କିନ୍ତୁ, ସହଯୋଗ ବିଫଳ ହେଉଛି । ଦେଶମାନଙ୍କର ନାଁ ନ ଧରି ଗୁଟେରେସ୍‌ ସମାଲୋଚନାପୂର୍ବକ କହିଲେ ଯେ, କେତେକ ଦେଶ ଆବଶ୍ୟକତା ଠାରୁ ଅଧିକ ଟିକା ଯୋଗାଡ଼ କରୁଛନ୍ତି ।

ନାଗରିକମାନଙ୍କୁ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ୱ, କିନ୍ତୁ, ‘ଭ୍ୟାକ୍ସିନ୍ୟାସ୍‌ନାଲିଜ୍‌ମ୍‌’ (ଟିକାକରଣବାଦ) ଆତ୍ମ-ପରାଜୟର କାରଣ ହେବ । ଏଥିଯୋଗୁଁ ବୈଶ୍ୱିକ ସୁସ୍ଥତାରେ ବିଳମ୍ବ ହେବ । ଏକାଥରକରେ ଗୋଟିଏ ଦେଶରେ କୋଭିଡ୍‌-୧୯କୁ ଦମନ କରି ହେବନାହିଁ । ସେ ଆହୁରି ମଧ୍ୟ କହିଲେ ଯେ, ପ୍ରତ୍ୟକ୍ଷ ସେବାପ୍ରଦାନକାରୀଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ । ପ୍ରତ୍ୟକ୍ଷ ସେବାପ୍ରଦାନକାରୀମାନେ ହେଉଛନ୍ତି ସ୍ୱାସ୍ଥ୍ୟସେବାକର୍ମୀ ଏବଂ ସହଜରେ ସଂକ୍ରମିତ ହେବାର ଆଶଙ୍କା ଥିବା ଜନତା ।

ଏକ ସାମ୍ବାଦିକ ସମ୍ମିଳନୀରେ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ଭୋଲ୍‌କନ୍‌ ବୋଜ୍‌କିର୍‌ ଘୋଷଣା କରିଛନ୍ତି ଯେ, ଖୁବ୍‌ ଶୀଘ୍ର ସେ ଓ ଗଟେରସ୍‌ ଟିକା ନେବେ । ଆସନ୍ତା ସପ୍ତାହରେ ଜାତିସଂଘ ମୁଖ୍ୟଙ୍କୁ ଓ ଫେବ୍ରୁଆରି ୨ ତାରିଖ ଦିନ ଜାତିସଂଘ ସାଧାରଣ ପରିଷଦ୍‌ର ଅଧ୍ୟକ୍ଷଙ୍କୁ ଟିକା ଦିଆଯିବ । ଏହାର କାରଣ ଦର୍ଶାଇ ବୋଜ୍‌କିର୍‌ କହିଛନ୍ତି ଯେ, ଜାତିସଂଘର ମୁଖ୍ୟାଳୟ ଅବସ୍ଥିତ ଥିବା ନ୍ୟୁୟର୍କର ଜନସ୍ୱାସ୍ଥ୍ୟ ନୀତି ଅନୁସାରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ ।