ଇରାନର ଶ୍ରେଷ୍ଠ ପରମାଣୁ ବୈଜ୍ଞାନିକ ମୋହସିନ୍ ଫକ୍ରିଜାଦେଙ୍କୁ ହତ୍ୟା: ହତ୍ୟାକାଣ୍ଡକୁ ପାଇଁ ଇସ୍ରାଏଲ୍କୁ ଦାୟୀ କଲା ଇରାନ୍, ପ୍ରତିଶୋଧ ପାଇଁ ଧମକ୍

ଇସ୍ରାଏଲ୍ ଆଡକୁ କାହିଁକି ଉଠିଲା ଅଙ୍ଗୁଳି ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ତଥ୍ୟ

178

କନକ ବ୍ୟୁରୋ: ରାଜରାସ୍ତା ଉପରେ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା । ଇରାନର ଅନ୍ୟତମ ଶ୍ରେଷ୍ଠ ପରମାଣୁ ବୈଜ୍ଞାନିକ ମୋହସିନ୍ ଫକ୍ରିଜାଦେଙ୍କ ମୃତ୍ୟୁ ହୋଇଥିବା ଥିବା ନେଇ ଇରାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ତେହେରାନ୍ ନିକଟ ଅଫସାଡ୍ ସହରରେ ଆତତାୟୀମାନେ ମୋହସିନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।  ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ରାଷ୍ଟ୍ର ପ୍ରୟୋଜିତ ହତ୍ୟାକାଣ୍ଡ ବୋଲି କହିବା ସହ ହତ୍ୟାକାଣ୍ଡ ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି ।

ମୋହସେନଙ୍କୁ ଇରାନର ପରମାଣୁ ବୋମାର ଜନକ ବୋଲି କୁହାଯାଏ । ବଡ଼ କଥା ହେଉଛି ଏହି ହତ୍ୟାକାଣ୍ଡ ପଛରେ ଇସ୍ରାଏଲ୍ର ହାତ ରହିଛି ବୋଲି ଅଭିଯୋଗ କରାଯାଉଛି । ଆଉ ଏହା ପଛର ବଡ଼ କାରଣ ହେଉଛି, ୨୦୧୮ ମସିହାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନଜାମିନ୍ ନେତନୟାହୁ ରହିଥିବା ବୟାନ । ଇରାନ୍ ଗୁପ୍ତଭାବରେ ପରମାଣୁ ବୋମା ପ୍ରସ୍ତୁତ କରୁଛି ବୋଲି କହିବା ସହ ଏକ କାର୍ଯ୍ୟକ୍ରମରେ ନେତୟାହୁ କହିଥିଲେ-ଆପଣମାନେ ଏହି ନାଁକୁ ମନେ ରଖନ୍ତୁ । ନାଁଟି ହେଉଛି ମୋହସିନ୍ ଫକ୍ରିଜାଦେ । ଦୁଇ ବର୍ଷ ତଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ରଖିଥିବା ଏହି ବୟାନକୁ ଏବେ ଏବେ ଚର୍ଚ୍ଚା ଜୋରଧରିଛି, ଯେତେବେଳେ ମୋହସିନ୍ ଫକ୍ରିଜାଦେଙ୍କୁ ହତ୍ୟା କରାଯାଇଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଥିବା ଶତ୍ରୁତା ସମ୍ପକରେ ସାରା ବିଶ୍ୱ ଜାଣିଛି । ଆଉ ଏଭଳି ସ୍ଥିତିରେ ଇରାନ୍ର ଜଣେ ଶ୍ରେଷ୍ଠ ପରମାଣୁ ବୈଜ୍ଞାନିକଙ୍କ ହତ୍ୟା ଘଟଣା ଆଗକୁ ତିକ୍ତତା ବଢ଼ାଇବାର ଅନେକ ଆଶଙ୍କା ରହିଛି ।

 

ଏ ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି-୨୦୧୫ରେ ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା । ସେଥିରୁ ୨୦୧୮ ମସିହାରେ ଓହରି ଯାଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ଆଉ ନିର୍ବାଚନ ପୂର୍ବରୁ ଏହି ଚୁକ୍ତି ନେଇ ସକରାତ୍ମକ ଆଭିମୁଖ୍ୟ କରିଥିଲେ ନବନିର୍ବାଚିତ ଜୋ-ବାଇଡେନ୍ । ଆଉ ଏହାରି ଭିତରେ ଇରାନୀ ଜେନେରାଲ୍ ସୁଲେମାନୀଙ୍କ ହତ୍ୟା ଘଟଣାରେ ଆମେରିକା ଆଡକୁ ଅଙ୍ଗୁଳି ଉଠିଥିଲା । ଆଉ ସବୁ ବିନ୍ଦୁକୁ ଯୋଡ଼ି ଦେଲେ ମୋହସେନ୍ ଫକ୍ରିଜାଦେଙ୍କ ହତ୍ୟା ଏକ ବଡ଼ଧରଣର ସଂକଟକୁ ଆକରା ଦେଇପାରେ ।