କନକ ବ୍ୟୁରୋ: ରାସ୍ତା କଡରେ ଠେଲା ଲାଗିଥିଲା । ସକାଳେ ସକାଳେ ଜଳଖିଆ କରିବା ପାଇଁ ଠେଲା ପାଖରେ ପ୍ରବଳ ଭିଡ ଜମିଥିଲା । ସମସ୍ତେ ଜଳଖିଆ ଖାଇବାରେ ମସଗୁଲ ଥିଲେ । ହେଲେ ହଠାତ ଜଣେ ବ୍ୟକ୍ତି ଧୋବ ଫରଫର ପାଇଜାମା ପିନ୍ଧି ଜଳଖିଆ ଦୋକାନକୁ ଆସିଲେ ଆଉ ଜଳଖିଆ ମାଗି ପାଖରେ ପଡିଥିବା ଏକ ଅଧା ଭଙ୍ଗା ପ୍ଲାଷ୍ଟିକ ଷ୍ଟୁଲରେ ବସି ଖାଇଲେ... ଷ୍ଟିଲ ପ୍ଲେଟରେ କଦଳୀ ପତ୍ର ପକାଇ ଆରାମରେ ଜଳଖିଆ ଖାଉଥିବା ସେ ବ୍ୟକ୍ତି ଜଣଙ୍କୁ ସମସ୍ତେ ବାଲୁବାଲୁ କରି ଚାହିଁଥିଲେ । କାରଣ ସେ ଲୋକ ଜଣଙ୍କ ସାଧାରଣ ଲୋକ ନଥିଲେ ସେ ଥିଲେ ଜନତାଙ୍କ ପ୍ରତିନିଧି । ଲୋକଙ୍କ ବିଧାୟକ ।
ଆଜ୍ଞା ହଁ ! ଉମରକୋଟ ବିଧାୟକ ନିତ୍ୟା ଗଣ୍ଡ ରାସ୍ତାକଡର ଏକ ଦୋକାନରେ ଜଳଖିଆ ଖାଉଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଟେ ଯେମିତି ଦୋକାନରେ ଛିଡା ହୋଇ ଖାଏ ଠିକ ସେହିପରି ବିଧାୟକ ମଧ୍ୟ ଠେଲା ପାଖରେ ଖାଇଥିଲେ । ତେବେ ବିଧାୟକ ହେଲା ପରେ ବି ନିତ୍ୟା ଗଣ୍ଡ ବିଲକୁଲ ବଦଳିନାହାନ୍ତି । ପୂର୍ବଭଳି ଯେମିତି ଥିଲେ ସେମିତି ଅଛନ୍ତି । ତେବେ ବିଧାୟକଙ୍କ ଏଭଳି ସାଧାରଣ ଜୀବନ ଶୈଳୀ ଓ ନିରାଡମ୍ବର ଚାଲିଚଳଣିଭରା ଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ବିଧାୟକ ହେଲା ପରେ ସମସ୍ତଙ୍କ ଚାଲିଚଳଣି ବଦଳିଯାଏ । ଖାଇବା ପିଇବା, ରହିବା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଜୀବନ ଶୈଳୀ ପରିବର୍ତ୍ତନ କରି ଦିଅନ୍ତି ବିଧାୟକ । ମାତ୍ର ଉମରକୋଟ ବିଧାୟକ ନିତ୍ୟା ଗଣ୍ଡ ଆଦୌ ବଦଳି ନାହାନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ବିଧାୟକ ଭାବେ ଜିତିଲା ପରେ ବିଧାୟକମାନେ ସାଧାରଣତଃ ଏକୁଟିଆ ବାହାରକୁ ବାହାରନ୍ତିନି । ସାଙ୍ଗରେ କିଛି ଲୋକ ଯଥା ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ସହଯୋଗୀଙ୍କୁ ଧରି ଆସିଥାନ୍ତି । ହେଲେ ବିଧାୟକ ନିତ୍ୟା ଗଣ୍ଡ କାହାକୁ ସାଙ୍ଗରେ ଆଣି ନଥିଲେ । ବରଂ ଏକା ଏକା ଆସି ଜଳଖିଆ ଖାଇଥିଲେ । ତେବେ ବିଧାୟକ ହେଲା ପରେ ନିତ୍ୟାଙ୍କ ସାଧାରଣ ଜୀବନ ଶୈଳୀକୁ ପସନ୍ଦ କରିଛନ୍ତି ଲୋକେ । ଏମିତି ସାଧାରଣ ଜୀବନ ଜିଇଁଲେ ତାଙ୍କୁ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାକୁ ସହଜ ହେବ ବୋଲି କିଛି ଲୋକ ମତ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/FOOTPATH_00000.png)
/kanak/media/post_attachments/wp-content/uploads/2019/07/66413207_2172000459592655_2587355094441787392_n-300x225.jpg)