କନକ ବ୍ୟୁରୋ : ମଙ୍ଗଳବାର ବିଜେଡି ନେତା ସଂଜୟ ଦାସବର୍ମାଙ୍କ ଗୁପ୍ତ ବୈଠକ ଭିଡିଓ ଭାଇରାଲ ହେବା ପରେ ସତ୍ୟବାଦୀ ରାଜନୀତି ଉଷ୍ମ ହୋଇଛି । ପୂର୍ବରୁ କର୍ମୀ ସମ୍ମିଳନୀରେ ନିଜକୁ ପୁଣି ବିଧାୟକ ପ୍ରାର୍ଥୀ ପାଇଁ ଦାବି କରୁଥିବା ଉମା ସାମନ୍ତରାୟଙ୍କ ଅଡୁଆ ବଢିଛି । ଆଉ ଏସବୁ ଭିତରେ ଦୁଇ ନେତାଙ୍କୁ ଶଙ୍ଖଭବନରୁ ଡକରା ଆସିଥିଲା । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦୁଇ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଦଳୀୟ ନିଷ୍ପତ୍ତି ହିଁ ସର୍ବମାନ୍ୟ ନିଷ୍ପତ୍ତି ବୋଲି ଦୁଇ ନେତାଙ୍କୁ କୁହାଯାଇଛି । ଶଙ୍ଖଭବନକୁ ଯିବା ପୂର୍ବରୁ ଉମା ସାମନ୍ତରାୟ କିନ୍ତୁ ଦୃଢୋକ୍ତି ପ୍ରକାଶ କରି କହିଥିଲେ, ସତ୍ୟବାଦୀ ତାଙ୍କ ଜନ୍ମସ୍ଥାନ । ଏଠାରେ ସେ ପାରୁ ପର୍ଯ୍ୟନ୍ତ ସଙ୍ଗଠନ କରିଛନ୍ତି । ଉମା କହିଲେ ସତ୍ୟବାଦୀକୁ ବୁଝାଏ । ସେପଟେ ସତ୍ୟବାଦୀର କିଛି ବିଜେଡି କର୍ମୀ ସଂଜୟଙ୍କ ସପକ୍ଷରେ ବାହାରିଛନ୍ତି ।

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ସାକ୍ଷୀଗୋପାଳରେ ଉମା ସାମନ୍ତରାୟଙ୍କ କିଛି ସମର୍ଥକ ଏକାଠି ହୋଇ ବୈଠକ କରିଛନ୍ତି । ଏମାନେ ଉମାଙ୍କ ଟିକେଟ ସପକ୍ଷରେ ବାହାରିଛନ୍ତି ।
ଉମା-ସଂଜୟଙ୍କ ଲଢେଇ ଭିତରେ ନଜର ପକାଇବା ସତ୍ୟବାଦୀର ସମୀକରଣ ଉପରେ ।

-୨୦୧୪ରେ ସ୍ୱାଧୀନ, ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ଉମା ସାମନ୍ତରାୟ
-୨୦୧୯ରେ ୮୦ ହଜାର ୮୩୭ ଭୋଟ ପାଇଥିଲେ ଉମା
-ପଂଚାୟତ ନିର୍ବାନଚରେ କଣାସ ବ୍ଲକ ଅଧ୍ୟକ୍ଷ ସହ ୩ ଜିଲ୍ଲାପରିଷଦ ଆସନ ବିଜେଡି ହାତରୁ ଖସିଯାଇଥିଲା
-ଏହା ଉମା ସାମନ୍ତରାୟଙ୍କ ପାଇଁ ଶକ୍ତ ଧକ୍କା ହୋଇଥିଲା
-୨୦୧୯ରେ ବ୍ରହ୍ମଗିରିରେ ହାରିବା ପରେ ସଞ୍ଜୟ ସତ୍ୟବାଦୀ ଉପରେ ଫୋକସ କରିଥିଲେ ।

ଏବେ ସତ୍ୟବାଦୀରୁ ସଂଜୟ ଦାସବର୍ମାଙ୍କୁ ଗ୍ରୀନ ସିଗନାଲ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ଯଦି ସଂଜୟ ସତ୍ୟବାଦୀରୁ ଲଢିବେ, ତେବେ ଉମା କରିବେ କଣ? ସେ କେଉଁଠାରୁ ଲଢିବେ ?