କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ, ସତ୍ୟବାଦୀ ରାଜନୀତି ଗୋଳିଆ ହେବାରେ ଲାଗିଛି । ଗୋଟିଏ ପଟେ ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ସତ୍ୟବାଦୀର ଶହେରୁ ଅଧିକ କର୍ମୀଙ୍କୁ ନେଇ ଗୁପ୍ତ ବୈଠକ କରିଥିବାବେଳେ, ଆଜି ଏନେଇ ମୁହଁ ଖୋଲିଛନ୍ତି ସତ୍ୟବାଦୀର ବିଧାୟକ ଉମା ସାମନ୍ତରାୟ ।

ସତ୍ୟବାଦୀରେ ତାଙ୍କ ସ୍ଥିତି ଦୃଢ ଥିବା ସଙ୍କେତ ଦେବା ସହିତ । ନିଜ ସଙ୍ଗଠନ ସମ୍ପର୍କରେ ସୂଚନା ଦେଇ ଉମା ସାମନ୍ତରାୟ କହିଛନ୍ତି, ସତ୍ୟବାଦୀ ମୋ ଜନ୍ମସ୍ଥାନ । ସତ୍ୟବାଦୀରେ ମୁଁ ପାରୁପର୍ୟ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିଛି । ମୁଁ ତିନି ତିନି ଥର ଜିଲ୍ଲା ପରିଷଦ ସ୍ୱାଧୀନରେ ଜିତିଛି । ବିଧାୟକ ବି ସ୍ୱାଧୀନ ଭାବେ ଜିତିଛି । ବିଜୁ ଜନତା ଦଳ ଯେତେବେଳେ ସତ୍ୟବାଦୀରେ କେବେ ବି ଖାତା ଖୋଲି ନଥିଲା, ମୁଁ ୨୦୧୯ ରେ ଖାତା ଖୋଲିଥିଲି । ସତ୍ୟବାଦୀ ବ୍ଲକରେ କେବେ ବି କେହି ଚେୟାରମ୍ୟାନ କରି ପାରିନଥିଲେ, ମୁଁ ସେଠି ଦୁଇ ଦୁଇ ଥର ଚେୟାରମ୍ୟାନ ବି କରିଛି ।

ତେବେ ଦଳରେ କାହାର ଜଣଙ୍କର ଟିକେଟ ଘୋଷଣା ହୋଇଛି କି? ମୁଖ୍ୟମନ୍ତ୍ରୀ କାହାକୁ କହିଛନ୍ତି କି ? ୫-ଟି ଅଧ୍ୟକ୍ଷ କହିଛନ୍ତି ନା ସାଙ୍ଗଠନିକ ସମ୍ପାଦକ କହିଛନ୍ତି କି ? ବୋଲି ପ୍ରଶ୍ନ କରିବା ସହିତ , କିଏ ମନକୁ ମନ କେଉଁ କଥା କହିଦେବ ସେ କଥାକୁ ନେଇ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ଅନ୍ୟପଟେ ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସର୍ବମାନ୍ୟ । ଦଳ ପକ୍ଷରୁ କାହାକୁ କିଛି ବି ନିର୍ଦ୍ଦେଶ ଦିଆଯାଇନାହିଁ । ଯିଏ ଯାହା କହୁଛି ତା ମନରୁ କହୁଛି ବୋଲି କହିବା ସହିତ, ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳ ଭିତରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯାହା ନିଷ୍ପତ୍ତି ନେବେ ସେ ନିଷ୍ପତ୍ତିକୁ ସତ୍ୟବାଦୀବାସୀ ମାନିବେ ବୋଲି କହିଛନ୍ତି ଉମା ସାମନ୍ତରାୟ ।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ସତ୍ୟବାଦୀରୁ କିଏ ବିଜେଡି ଟିକେଟରେ ଲଢିବ ତାକୁ ନେଇ ଆରମ୍ଭ ହେଇଛି ଆଲୋଚନା । ଗୋଟିଏ ପଟେ ଟିକେଟ୍ ରେସରେ ବର୍ତ୍ତମାନର ବିଜେଡି ବିଧାୟକ ଉମା ସାମନ୍ତରାୟ ଥିବାବେଳେ, ଅନ୍ୟପଟେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଏହି ଅଞ୍ଚଳର କର୍ମୀ ଓ ନେତାଙ୍କୁ ନେଇ ବୈଠକ କରିବା ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଅଚାନକ କାହିଁକି ସତ୍ୟବାଦୀର ନେତା ଓ କର୍ମୀଙ୍କୁ ନେଇ ସଞ୍ଜୟ ବୈଠକ କଲେ ତାହାର ସୂଚନା ମିଳିପାରିନି ।