କନକ ବ୍ୟୁରୋ: ୟୁକ୍ରେନ୍-ଋଷ ଯୁଦ୍ଧକୁ ମାସେ ପୁରିଛି । ଋଷ ସେନାର ଘନଘନ ଆକ୍ରମଣକୁ ନେଇ ଏବେ ୟୁକ୍ରେନର ସବୁ ବଡ ବଡ ସହର ଧ୍ୱସ୍ତବିଧ୍ୱଂସ୍ତ ହୋଇପଡିଥିବାବେଳେ ସେଠାରେ ଉକ୍ରଟ ମାନବସଙ୍କଟ ସ୍ଥିତି ସୃଷ୍ଟି ହୋଇଛି । ଯୁଦ୍ଧର ଭୟାବହତାକୁ ନେଇ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡି ପଳାଇଥିବା ବେଳେ ସେମାନେ ଏବେ ଅସ୍ଥାୟୀ ଶିବିରରେ ଶରଣାର୍ଥୀ ଜୀବନ ବତାଉଛନ୍ତି ।

Advertisment

ଏମାନଙ୍କ ତୁଳନାରେ ୟୁକ୍ରେନରେ ଫସିରହିଥିବା ଲୋକଙ୍କ ସ୍ଥିତି ଆହୁରି ଦୁର୍ବିସହ ହୋଇପଡିଛି । ଋଷ ସେନାର ଆକ୍ରମଣରୁ ଜୀବନ ରକ୍ଷା ଲାଗି ଲୋକମାନେ ଦୀର୍ଘ ଦିନ ହେଲା ବିଲ୍ଡିଙ୍ଗ ବେସମେଣ୍ଟ କିମ୍ବା କୌଣସି ଆଶ୍ରୟସ୍ଥଳରେ ରହିଥିବା ବେଳେ ପାଣି ଓ ଖାଦ୍ୟ ଏମାନଙ୍କ ପାଇଁ ଏକ ବଡ ଚ୍ୟାଲେଂଜ ପାଲଟିଛି । ଖାଦ୍ୟାଭାବକୁ ନେଇ ଏହା ମଧ୍ୟରେ କେତେକ ସହରରୁ ଅତ୍ୟନ୍ତ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । କେତେକ ସହରରେ ଲୋକେ ଶୋଷ ମେଣ୍ଟାଇବାକୁ କାର୍ ରେଡିଏଟର ପାଣି ପିଉଥିବାବେଳେ ଅନ୍ୟ କେତେକ ସହରରେ ଭୋକ ମେଣ୍ଟାଇବାକୁ କୁକୁର ମାରି ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଖାଉଥିବା କୁହାଯାଉଛି ।

ଖାଦ୍ୟାଭାବ ସହ ପିଇବା ପାଣିର ଘୋର ଅଭାବ ଯୋଗୁଁ ଅଧିକାାଂଶ ଶିଶୁ ମୃତ୍ୟୁର ଶିକାର ହେଉଥିବା ମଧ୍ୟ କୁହାଯାଉଛି । ବିଶେଷ କରି ମିରିଓପୋଲ, କିଭ୍, ଏବଂ ଚେର୍ଣ୍ଣାବିଲ ଭଳି ସହରରେ ଏଭଳି ଦୟନୀୟ ସ୍ଥିତି ଉକ୍ରଟ ହୋଇଛି । ମାରିଓପୋଲ ସହରରେ ଗୋଟିଏ ପରିବାରର ୩ ଶିଶୁଙ୍କ ଶରୀରରୁ ଜଳୀୟ ଅଂଶ କମିଯିବାରୁ ପ୍ରାଣ ହରାଇଥିବା ସେମାନଙ୍କ ମାଆ ଭିକ୍ଟୋରିଆ କହିଛନ୍ତି । ସେହିପରି ନବଜାତକଙ୍କ ଅବସ୍ଥାରେ ଅତି ଦୟନୀୟ ହୋଇପଡିଛି । ଜନ୍ମ ଦେଇଥିବା ମା’ ମଧ୍ୟ ନିଜ ସାମ୍ନାରେ ଶିଶୁଙ୍କୁ ହରାଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଅନ୍ୟପଟେ ଋଷ ଆକ୍ରମଣରେ ୟୁକ୍ରେନର ବିଭିନ୍ନ ଆଣିବିକ କେନ୍ଦ୍ରରେ ବିସ୍ଫୋରଣ ଯୋଗୁଁ ଏଠିକାର ପାଣି ଓ ପବନ ବିଷାକ୍ତ ହୋଇଯାଇଛି । ଲୋକେ ଶୋଷ ମେଣ୍ଟାଇବାକୁ ଏହି ବିଷାକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଯୁଦ୍ଧ ବିରତି ପାଇଁ ସବୁ ଉଦ୍ୟମ ବିଫଳ ହୋଇଥିବାବେଳେ ଋଷ ଏବଂ ୟୁକ୍ରେନ ନିଜ ନିଜ ଜିଦରେ ଅଟଳ ଅଛନ୍ତି ।