କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧକୁ ୪୨ ଦିନ ବିତିଗଲାଣି । ବାରମ୍ବାର ଆଲୋଚନା ପରେ ମଧ୍ୟ ଯୁଦ୍ଧରେ ବିରାମ ଲାଗୁନି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଏହାସତ୍ତେ୍ୱ ମଧ୍ୟ ଏଯାଏଁ ୟୁକ୍ରେନ ଉପରେ ପୂରା କବଜା କରିପାରିନାହିଁ ଋଷ । କାରଣ ୟୁକ୍ରେନର ସେନା ଓ ସାଧାରଣ ଲୋକଙ୍କ ଦୃଢ ଇଚ୍ଛାଶକ୍ତି ହିଁ ଋଷ ଆଗରେ ପ୍ରାଚୀର ହୋଇ ଛିଡା ହୋଇଛି ।

Advertisment

ଏବେ ୟୁକ୍ରେନର ସୁରକ୍ଷା ପାଇଁ କେବଳ ସେନା ନୁହଁନ୍ତି ବରଂ ଦେଶର ଯୁବକ ଓ ମହିଳା ମାନେ ଆଗକୁ ଆସିଛନ୍ତି । ଏପରିକି ୟୁକ୍ରେନର କୁନି କୁନି ପିଲା ମାନେ ମଧ୍ୟ ଏବେ ଋଷ ବିରୋଧରେ ଲଢେଇ କରିବାକୁ ଅସ୍ତ୍ରଶସ୍ତ୍ର ଉଠାଇଲେଣି । ଆଉ ଏମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ୟୁକ୍ରେନର ଓଡେଶା ଅଞ୍ଚଳରେ କିଛି ଛୋଟ ପିଲା ରାସ୍ତାରେ ଚେକ ପୋଷ୍ଟ ନିର୍ମାଣ କରିବା ସହ ଏହାକୁ ଜଗି ରହୁଛନ୍ତି । ଆଉ ଏମାନଙ୍କୁ ପ୍ରତିରକ୍ଷା ବିଭାଗ ଓ ସାଧାରଣ ଲୋକ ସହଯୋଗ ମଧ୍ୟ କରୁଛନ୍ତି ।

ୟୁକ୍ରେନର ସୈନ୍ୟ ଶକ୍ତି ବଢିବା ପଛର ପ୍ରମୁଖ କାରଣ ହେଉଛି ପଶ୍ଚିମ ଦେଶର ସହାୟତା । ନଟୋ ସମୂହ ଦେଶ ଓ ୟୁରୋପୀୟ ଦେଶ ଗୁଡିକ ଏହି ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରି ଆସୁଛି । କେବଳ ସେନାକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ସହାୟତା କରି ଆସୁଛନ୍ତି ୟୁରୋପୀୟ ଦେଶ । ଗତ ଫେବ୍ର୍ରୁଆରୀ ୨୪ ତାରିଖରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଏହି ଯୁଦ୍ଧରେ ହଜାର ହଜାର ସୈନିକ ଓ ଲୋକ ପ୍ରାଣ ହରାଇଲେଣି । ଏପରିକି ଏହି ଯୁଦ୍ଧରେ ୟୁକ୍ରେନରୁ କୋଟିଏରୁ ଅଧିକ ଲୋକ ଘର ଛାଡି ଅନ୍ୟ ଦେଶକୁ ଚାଲି ଯାଇଛନ୍ତି ।