କନକ ବ୍ୟୁରୋ : ରୁଷର ବଡ ଦାବି, କ୍ଷେପଣାସ୍ତ୍ର ଆକ୍ରମଣରେ ୬୦୦ରୁ ଅଧିକ ୟୁକ୍ରେନ ସୈନ୍ୟ ନିହତ ହୋଇଛନ୍ତି । ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ଏହା କହିଛି । ଗତ ସପ୍ତାହରେ ୟୁକ୍ରେନର ଆକ୍ରମଣରେ ୮୯ ଜଣ ରୁଷ ସୈନ୍ୟ ନିହତ ହୋଇଥିଲେ । ଏବେ ଆକ୍ରମଣ କରି ଋଷ ପ୍ରତିଶୋଧ ନେଇଥିବା କହିଛି ।

Advertisment

ୟୁକ୍ରେନର ପୂର୍ବ ସହର କ୍ରାମଟୋର୍ସ୍କର ମେୟର କହିଛନ୍ତି ଯେ ତାଙ୍କ ସହରକୁ ଟାର୍ଗେଟ କରାଯାଇଛି । ଏହା ପୂର୍ବରୁ ସେ କହିଥିଲେ ଯେ ସହରର ବିଭିନ୍ନ କୋଠା ଉପରେ ହୋଇଥିବା ଆକ୍ରମଣରେ କେହି ମୃତାହତ ହୋଇନାହାଁନ୍ତି । ୟୁକ୍ରେନର ସୈନ୍ୟମାନଙ୍କୁ ଟାର୍ଗେଟ କରିବା ପାଇଁ ଗୁଇନ୍ଦା ସୂଚନାକୁ ବ୍ୟବହାର କରାଯାଇଥିଲା । ଏହି ସୂଚନା ଅନୁଯାୟୀ, ୭୦୦ରୁ ଅଧିକ ୟୁକ୍ରେନ ସୈନିକ ଗୋଟିଏ ହଷ୍ଟେଲରେ ଥିବା ବେଳେ ୬୦୦ ରୁ ଅଧିକ ଅନ୍ୟ ହଷ୍ଟେଲରେ ଥିଲେ ।

ସେହି ହଷ୍ଟେଲକୁ ଲକ୍ଷ୍ୟ କରି ରୁଷ କ୍ଷେପଣାସ୍ତ୍ର ମାଡ କରିଥିଲା । ତେବେ ବିିବିସିରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ରୁଷର ଦାବି କରୁଥିବା ଖବରକୁ ୟୁକ୍ରେନ ଖାରଜ କରିଛି । ଏହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଖବର । ଏଥିରେ କୌଣସି ସତ୍ୟତା ନଥିବା କିଭ୍ କହିଥିବା ସୂଚନା ରହିଛି । ୟୁକ୍ରେନ ସେନାର ମୁଖପାତ୍ର ବିବିସିକୁ ଏହି ସୂଚନା ଦେଇଛନ୍ତି ।