ଭିଷଣ ଯୁଦ୍ଧରେ ଅନେକ କିଛି ହରାଇଛୁ, ତଥାବି ଫଳାଫଳ ଆମ ସପକ୍ଷରେ । ଏହା ଯୁଦ୍ଧ ଅବସାନର ଆରମ୍ଭ : ଜେଲେନସ୍କି

253

କନକ ବ୍ୟୁରୋ : ଋଷ ସେନାକୁ ପଛକୁ ହଟାଇ ଖେରସନକୁ ୟୁକ୍ରେନ୍ ପୁଣି କବ୍ଚାକୁ ନେବା ପରେ ସେନାଙ୍କ ମଧ୍ୟରେ ପହଞ୍ଚିଯାଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ସେନାକୁ ଉତ୍ସାହିତ କରିବା ସହ କହିଛନ୍ତି, ଖେରସନକୁ ପୁଣି କବ୍ଚାକୁ ନେବା ଏକ ଶୁଭ ସଂକେତ । ଏହା ଯୁଦ୍ଧ ବିରାମର ଶୁଭାରମ୍ଭ ବୋଲି ଜେଲେନସ୍କି କହିଛନ୍ତି ।
ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟରୁ ରାଷ୍ଟ୍ରପତି ଜେଲେନସ୍କିଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ରାଷ୍ଟ୍ରପତି ଜେଲେନସ୍କି ଛାତିରେ ହାତ ରଖି ରାଷ୍ଟ୍ରୀୟ ସଂଗୀତ ଗାନ କରୁଥିବା ନଜର ଆସିଛନ୍ତି ଏବଂ ଖେରସନର ମୂଖ୍ୟ ପ୍ରଶାସନିକ ଅଫିସର ବିଲ୍ଡିଂ ଉପରେ ଦେଶର ପତାକା ଉଡୁଥିବା ନଜର ଆସିଛି । ଏହା ସହିତ ଏହି ଭିଡିଓରେ ଜେଲେନସ୍କି କହିଛନ୍ତି ଏହା ଯୁଦ୍ଧ ଅବସାନର ଆରମ୍ଭ ।
କେବଳ ଏତିକି ନୁହେଁ ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି କି, ଏହା ଏକ ଲମ୍ବା ରାସ୍କା, ମୁସକିଲ ରାସ୍ତା ମଧ୍ୟ… କାହିଁକିନା ଯୁଦ୍ଧ ଆମ ଦେଶର ସର୍ବଶ୍ରେଷ୍ଟ ନାୟକଙ୍କୁ ଛଡାଇନେଇଛି । ଆମେ ଶାନ୍ତି ଚାହୁଁଛୁ କିନ୍ତୁ ଏହି ଶାନ୍ତି କେବଳ ଆମର ରହିବ । ସାରା ଦେଶ ଆମର ହୋଇକି ରହିବ ।
ଅନ୍ୟପଟେ ନାଟୋର ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ ୟୁକ୍ରେନକୁ ଚେତାଇ କହିଛନ୍ତି । ଆସନ୍ତା ଦିନ ଆହୁରି କଠିନ ହୋଇପାରେ । ଋଷର ସେନା କ୍ଷମତାକୁ କମ୍ ଆକଳନ କରିବା ମୁର୍ଖାମୀ ହୋଇପାରେ ।
ସେପଟେ ଋଷ ରାଷ୍ଟ୍ରପତି ପୁଟିନଙ୍କ ପ୍ରବକ୍ତା ଏହାକୁ ଖଣ୍ଡନ କରି କହିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଖେରସନ୍ ଗସ୍ତ ଖେରସନ୍ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ । କାହିଁକି ନା ଗତ ମାସରେ ଔପଚାରିକ ଭାବେ ଋଷ ଖେରସନକୁ କବ୍ଚାକୁ ନେଇଥିଲା ।