କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ କେବେ ଥମିବ ତାହା କେହି ବି ଜାଣିନାହାନ୍ତି । ପ୍ରତିଦିନ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଆଉ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭାବୁକ କରିଦେଇଛି । ରକେଟ୍ ମାଡରେ ମାଟିରେ ମିଶିଗଲା ହସ୍ପିଟାଲ, ଡାକ୍ତରମାନେ ଅତି ସାହସିକତାର ସହ ବଞ୍ଚାଇଲେ ୫ମାସର କୁନି ଶିଶୁର ଜୀବନ ।

Advertisment

ଅପରେସନ୍ ଚାଲିଥିବା ବେଳେ ଅଚାନକ ଏକ ବିସ୍ଫୋରଣର ଶବ୍ଦ ହେଲା ଆଉ ଚାହୁଁ ଚାହୁଁ ହସ୍ପିଟାଲର ସବୁ କାଚ ଭଙ୍ଗିକି ଗଳିବାକୁ ଲାଗିଲା । ପରେ ଆଉ ଏକ ବିସ୍ଫୋରଣରେ ହସ୍ପିଟାଲର କିଛି ଅଂଶ ମାଟିରେ ମିଶିଯାଇଥିଲା । ଅପରେସନ୍ ଟେବୁଲ ଉପରେ କୁନି ଛୁଆ ପଡିଥିଲା ଆଉ ତା’ ଚାରିପାଖରେ କାଚ ଏବଂ ଅନ୍ୟ ଉପକରଣ ଭାଙ୍ଗିକି ପଡିଥିଲା । ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ଆଉ ୪ ବୟଷ୍କ ରୋଗୀ । ହସ୍ପିଟାଲରେ ଲାଗିଥିବା ଭେଣ୍ଟିଲେଟର ବି ଭାଙ୍ଗିଯାଇଥିଲା । କୁନି ଶିଶୁ ନିଶ୍ୱାସ ପ୍ରଶ୍ୱାନ ନେବାରେ ସମସ୍ୟା ଭୋଗୁଥିଲା । ଏହି ସମୟରେ ଡାକ୍ତର ଶିଶୁକୁ ନିଶ୍ୱାସ ଦେବା ପାଇଁ ଦେଶୀ ଉପାୟ ଆପଣାଇଥିଲେ । ଆଉ ବିଲ୍ଡିଂ ଭୁସୁଡିପଡିବା ଆଶଙ୍କାରେ ବେସମେଣ୍ଟ ଆଡକୁ ସମସ୍ତେ ଦୌଡିଥିଲେ । ଆଉ କୁନି ଶିଶୁର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

ସେପଟେ ଏହି ଘଟଣାକୁ ନେଇ ସମସ୍ତେ ଋଷକୁ ନିନ୍ଦା କରୁଥିବା ବେଳେ ଏହି ଆକ୍ରମଣ ଋଷ ତରଫରୁ ହୋଇନଥିବା କହିଛି କ୍ରେମଲିନ୍ । ଏହା ଋଷର ଆକ୍ରମଣ ନୁହେଁ ୟୁକ୍ରେନର ଆଣ୍ଟି ମିଜାଇଲ୍ ଫାଏରିଂ ଦ୍ୱାରା ହସ୍ପିଟାଲ ଭୁସୁଡିପଡିଥିବା କଥା କ୍ରେମଲିନ୍ କହିଛି ।