କନକ ବ୍ୟୁରୋ : ଭାରତ ପାଇଁ ଜଟିଳ ପରିସ୍ଥିତି । ଗୋଟିଏ ପଟେ ରୁଷିଆ ଅନ୍ୟପଟେ ଆମେରିକା । ରୁଷିଆ ହେଉଛି, ୭୫ ବର୍ଷର ପୁରୁଣା ବନ୍ଧୁ ରାଷ୍ଟ୍ର । ଭାରତର ପ୍ରାୟ ୭୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ରୁଷିଆ ହିଁ ଯୋଗାଇ ଥାଏ । ଏବଂ ସବୁବେଳେ ଭାରତ ସହ ଭଲ ସମ୍ପର୍କରେ ରହି ଆସିଛି । ଏପଟେ ଚୀନର ଶକ୍ତିକୁ ପ୍ରତିହତ କରିବା ପାଇଁ ଆମେରିକା ହେଉଛି ଭାରତ ପାଇଁ ବଡ ଆବଶ୍ୟକତା । ସମ୍ପର୍କର ଏଭଳି ଜଟିଳତା ଭିତରେ ଭାରତ କହିଛି, ଘଟଣା ଉପରେ ତୀକ୍ଷଣ ନଜର ରଖିଛୁ । ସେପଟେ ୟୁକ୍ରେନର ରାଷ୍ଟ୍ରଦୂତ ପ୍ରେସମିଟ କରି କହିଛନ୍ତି, ଏହି ଅସମୟରେ ଭାରତ ସହାୟତା ଯୋଗାଇ ଦେଉ ।
ୟୁକ୍ରେନ-ରୁଷ୍ ବିବାଦ ଜଟିଳ ହୋଇଚାଲିଥିବା ବେଳେ ଶାନ୍ତିପୂର୍ଣ୍ଣ ସାମଧାନ ପାଇଁ ଭାରତ କହି ଆସିଛି । ଅନ୍ତର୍ଜାତୀୟ ଫୋରମରେ ଏକଥା ବାରମ୍ବାର ଦୋହରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସିଧାସଳଖ କୌଣସି ପକ୍ଷରୁ ସମର୍ଥନ କରିବାରୁ ଦୂରେଇ ରହିଛି ଭାରତ ।
ରୁଷ୍-ୟୁକ୍ରେନ ବିବାଦ ଭିତରେ ଅନ୍ତର୍ଜାତୀୟ ସମୁଦାୟର ନଜର ରହିଛି ଭାରତର ଆଭିମୁଖ୍ୟ ଉପରେ । କ’ଣ ରହିବ ଭାରତର ମନୋଭାବ, କେଉଁ ପକ୍ଷକୁ ସମର୍ଥନ କରିବ ନୂଆଦିଲ୍ଲୀ, ତା’ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ଭିତରେ ଜାତିସଂଘରେ ଅତି ଚତୁରତାର ସହ ନିଜ ପକ୍ଷ ରଖିଛି ଭାରତ । ଖୋଲାଖୋଲି କୌଣସି ପକ୍ଷକୁ ସମର୍ଥନ କରି ନାହିଁ, ବରଂ ବିବାଦର କୂଟନୀତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ନିବେଦନ କରିଛି ।
ୟୁକ୍ରେନ ରୁଷ୍ ଆକ୍ରମଣ କରିଥିଲେ ବି ଭାରତ ପୁଟିନ ସରକାରକୁ ସମାଲୋଚନା କରିନାହିଁ, ଯାହାକୁ ଏକପ୍ରକାର ନୀରବ ସମର୍ଥନ ବୋଲି କୁହାଯାଇପାରେ । ହେଲେ ଭାରତର ଏପରି ଆଭିମୁଖ୍ୟ ପଛର କାରଣ କ’ଣ । କାହିଁକି ବିଶ୍ୱର ଅଧିକାଂଶ ଦେଶ ରୁଷକୁ ସମାଲୋଚନା କରୁଥିବା ବେଳେ ନୂଆଦିଲ୍ଲୀ କ୍ରେମଲିନକୁ ଟାର୍ଗେଟ କରୁନାହିଁ । ଏହା ପଛରେ ରହିଛି ଭାରତ ଓ ରୁଷ୍ ମଧ୍ୟରେ ଥିବା ଗଭୀର ସମ୍ପର୍କ ଓ ପୁରୁଣା ବନ୍ଧୁତା । ନଜର ପକାନ୍ତୁ ଏହି ସବୁ ଦିଗ ପ୍ରତି
ଅନ୍ତର୍ଜାତୀୟ ସମୁଦାୟରେ ରୁଷ୍ ଭାରତର ସବୁଠୁ ପୁରୁଣା ବନ୍ଧୁ
ଭାରତର ବିପଦ ବେଳେ ସହାୟତା ଦେଇଆସିଛି ରୁଷ୍
କୂଟନୈତିକ ସ୍ତରରେ ନୂଆଦିଲ୍ଲୀ ପଛରେ ଛିଡ଼ା ହୋଇଆସିଛି କ୍ରେମଲିନ
ଭାରତର ଅଧିକାଂଶ ଅସ୍ତ୍ରଶସ୍ତ୍ର ରୁଷରୁ ଆସିଥାଏ
ଭାରତର ତିନି ସେନା ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରର ପ୍ରାୟ ୭୦% ରୁଷ ନିର୍ମିତ
୧୯୭୧ ଯୁଦ୍ଧ ବେଳେ ଭାରତର ସହାୟତା ପାଇଁ ଆଗେଇ ଆସିିଥିଲା ରୁଷ୍
ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଭାରତ କଥାରେ ହଁ ଭରିଆସିଛି ରୁଷ୍
ଆର୍ଟିକିଲ ୩୭୦ ଉଚ୍ଛେଦ ବେଳେ ଭାରତକୁ ଖୋଲାଖୋଲି ସମର୍ଥନ କରିଥିଲେ ପୁଟିନ
ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ ଯୁକ୍ତିଯୁକ୍ତ କହିଆସୁଛି ରୁଷ୍
ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଭାରତ କହି ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛି ୟୁକ୍ରେନ । ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ସବୁବେଳେ ବିଶ୍ୱ ଶାନ୍ତି ସ୍ଥାପନରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କଲେ ସମସ୍ୟାର ସମାଧାନ ହୋଇପାରିବ । ଗତ କିଛି ବର୍ଷ ଧରି ଆମେରିକା ସହ ଭାରତର ସମ୍ପର୍କ ବଢ଼ିଛି । ଋଷ୍ ସହ ମଧ୍ୟ ସମ୍ପର୍କ ପୂର୍ବ ଭଳି ରହିଛି । ଏଭଳି ସ୍ଥିତିରେ ଅତି ସତର୍କତାର ସହ, ସନ୍ତୁଳନ ରଖି ପଦକ୍ଷେପ ନେଉଛି ଭାରତ ।