କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଗୋଟିଏ ପରେ ଗୋଟିଏ ସାଂଘାତିକ ଖବର ସାମ୍ନାକୁ ଆସୁଛି । ଆଜି ସକାଳୁ ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଲଗାତାର ଋଷର ମିସାଇଲ ଆକ୍ରମଣରେ ୟୁକ୍ରେନରେ ଭୟର ମାହୋଲ ଖେଳିଯାଇଛି । ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି । ଆଉ ଏସବୁ ଭିତରେ ଋଷର ୫୦ ଜଣ ସୈନିକଙ୍କୁ ମାରିଥିବା ନେଇ ଦାବି କରିଛି ୟୁକ୍ରେନ୍ । ଏହାଛଡା ଋଷର ୫ଟି ଲଢୁଆ ବିମାନ, ୨ଟି ହେଲିକପ୍ଟର, ୨ଟି ଟ୍ରକ ଓ ଅସ୍ତ୍ରଶସ୍ତ୍ର ବୋହି ଆଣୁଥିବା ଅନେକ ଗାଡିକୁ ମଧ୍ୟ ନଷ୍ଟ କରିଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।

Advertisment

ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି ଯେ, ଋଷ ସହ ଯୁଦ୍ଧରେ ଆମର ୪୦ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନେକ ଯବାନ ଗୁରୁତର ଆହତ ହୋଇଛନ୍ତି । ଏନେଇ ଗଣମାଧ୍ୟମ ସଂସ୍ଥା ରୟଟର୍ସରେ ଖବର ପ୍ରକାଶ ପାଇଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନରେ ଜାମ ଦେଖିବାକୁ ମିଳିଛି । ସମସ୍ତେ ୟୁକ୍ରେନର ମେଟ୍ରୋ ଷ୍ଟେସନ ମୁହାଁ ହୋଇଛନ୍ତି । କାରଣ ୟୁକ୍ରେନର ମେଟ୍ରୋ ଷ୍ଟେସନ ସବୁଠୁ ବଡ ସୁରକ୍ଷାକବଚ ଭାବେ ଉଭା ହୋଇଛି ।  ଯେଉଁଠି ଆକାଶପଥରୁ ଆକ୍ରମଣ କରାଗଲେ ମଧ୍ୟ ଏହି ମେଟ୍ରୋ ଷ୍ଟେସନର ସେଭଳି କ୍ଷୟକ୍ଷତି ଦେଖିବାକୁ ମିଳିବ ନାହିଁ ।

 ଅନ୍ୟପଟେ ୟୁକ୍ରେନ ମାମଲାରେ   ଆମେରିକାରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ୱାଂସିଟନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପରାଷ୍ଟ୍ରପତି, ବୈଦଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ ହୋଇଛନ୍ତି । ୟୁକେନ୍ ଉପରେ ଆକ୍ରମଣକୁ ନେଇ ଚୁପ୍ ବସିବୁ ନାହିଁ  ବୋଲି କହିଛନ୍ତି ଜୋ ବାଇଡେନ ।