କନକ ବ୍ୟୁରୋ : ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ବର୍ଷ ପରେ ପୁଣି ସେହିଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ ଅଛି ଋଷିଆ ଏବଂ ଅନ୍ୟପଟେ ଅଛନ୍ତି ଆମେରିକା ଏବଂ ତାର ସହଯୋଗୀ ନାଟୋ ଦେଶ ଗୁଡ଼ିକ । ଫ୍ରାନ୍ସ, ଜର୍ମାନୀ, ଇଟାଲି, ବ୍ରିଟେନ ଭଳି ୟୁରୋପୀୟ ଦେଶ ମାନେ ଆମେରିକା ସହ ଅଛନ୍ତି । ଏପଟେ ଋଷିଆକୁ ସମର୍ଥନ ଦେଉଛି ଚୀନ । ଏଭଳି ପରିସ୍ଥିତିରେ ୟୁକ୍ରେନକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

Advertisment

ଗତକାଲି ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଥିଲେ । ସେ କହିଥିଲେ ୟୁକ୍ରେନରୁ ଅଲଗା ହୋଇଯାଇଥିବା ଦୁଇଟି ଅଞ୍ଚଳ ‘ଲୁହାନସ୍କ‘ ଓ ‘ଡୋ଼ନେସ୍କ’କୁ ଋଷିଆ ଦୁଇଟି ସ୍ୱାଧୀନ ଦେଶ ଭାବେ ବିବେଚନା କରୁଛି । ଏହି ଘଟଣା ପରେ ସାରା ବିଶ୍ୱରେ ୟୁକ୍ରେନ ଋଷିଆ ବିବାଦରେ ନିଆଁ ଲାଗିଯାଇଛି । ଆମେରିକା ସମେତ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଭଳି ଦେଶ ମାନେ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏଥିପାଇଁ ଋଷିଆକୁ ବହୁମୁଲ୍ୟ ଦେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି ।

ସେପଟେ ଋଷିଆ ଏହି ଦୁଇଟି ଅଞ୍ଚଳକୁ ସୈନ୍ୟ ପଠାଇବ ବୋଲି ଘୋଷଣା କରିଛି । ଯଦି ଋଷିଆ ଏଭଳି କରେ ତେବେ ଯୁଦ୍ଧର ଆଶଙ୍କା ଆହୁରି ବଢିଯିବ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ଋଷିଆକୁ ଚୀନ ସମର୍ଥନ କରୁଥିବାରୁ ଏହି ବିବାଦ ବଡ଼ ଆକାର ଧାରଣ କରିପାରେ ବୋଲି ଅନୁମାନ କରାଯାଉଛି ।

ୟୁକ୍ରେନ୍ ସଂକଟ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ହୋଇଛି । ବୈଠକରେ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛି ଭାରତ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛି ଭାରତ । ଏହା ସହ ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଭାରତ ଦାବି କରିଛି । ଭାରତ ପକ୍ଷରୁ ଟି. ଏସ୍ ତ୍ରିମୂର୍ତି କହିଛନ୍ତି, ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ରହିଛନ୍ତି । ଏମାନେ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଓ ସୀମାବର୍ତୀ ଅଞ୍ଚଳରେ ରହୁଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ପ୍ରାଥମିକତା ଦେବା ଜରୁରୀ ।

ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ନହେବା ଜରୁରୀ ବୋଲି କହିଛି ଭାରତ । ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ନାଟୋରେ ୟୁକ୍ରେନ୍ ସାମିଲ ହେବା ରୁଷ ପାଇଁ ସଙ୍କଟ ସୃଷ୍ଟି କରିବ । ୟୁରୋପୀୟ ସଂଘ କହିଛି, ପୁଟିନ ଅର୍ନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିଛନ୍ତି । ୟୁକ୍ରେନ୍ କହିଛି, ସେମାନଙ୍କ ଅର୍ନ୍ତରାଷ୍ଟ୍ରୀୟ ସୀମା ଅପରିବର୍ତିତ ରହିଛି ଓ ଆଗକୁ ମଧ୍ୟ ଏପରି ରହିବ । ଏହାରି ଭିତରେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁକ୍ରେନରୁ ୪ଟି ବିମାନ ଦ୍ୱାରା ଭାରତୀୟଙ୍କୁ ଅଣାଯିବ । ୨୫, ୨୭, ମାର୍ଚ୍ଚ ୬ ତାରିଖରେ ଏହି ବିମାନ ଦ୍ୱାରା ଭାରତୀୟଙ୍କୁ ଦିଲ୍ଲୀ ଅଣାଯିବ ।