କନକ ବ୍ୟୁରୋ : ଚରମସୀମାରେ ପହଞ୍ଚିଛି ୟୁକ୍ରେନ୍-ଋଷ ସଙ୍କଟ । କୌଣସି ବି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ । ଯାହା ସ୍ପଷ୍ଟ କରୁଛି ସାଟେଲାଇଟରେ କଏଦ ହୋଇଥିବା କିଛି ଦୃଶ୍ୟରୁ । ଆମେରିକା କମ୍ପାନୀ ମାସ୍କର୍ ଏପରି କିଛି ସାଟେଲାଇଟ୍ ଇମେଜକୁ ଜାରି କରିଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି କିଭଳି ୟୁକ୍ରେନକୁ ଘେରି ରହିଛି ପୁଟିନ୍ ବାହିନୀ । ପୂର୍ବ ୟୁକ୍ରେନ୍ ସୀମାଠାରୁ ଆରମ୍ଭ କରି ବେଲାରୁସ୍ ପର୍ଯ୍ୟନ୍ତ ରୁଷିଆର ପ୍ରାୟ ୨ ଲକ୍ଷ ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ ପାଇଁ ସଜାଗ ରହିଛି ।

Advertisment

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗୋଟିଏ ଆଦେଶ ମିଳିଲେ ଏମାନେ ୟୁକ୍ରେନ୍ ଉପରେ ଆକ୍ରମଣ କରିବେ । ସୋମବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱରେ ଯୁଦ୍ଧ ଆଶଙ୍କା ବଢିଯାଇଛି । ୟୁକ୍ରେନ୍-ଋଷ ବିବାଦରେ ଆକ୍ସନକୁ ଆସିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଆଉ ବ୍ୟବସାୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ । ଏହା ସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ । ଋଷ ପକ୍ଷରୁ ଅର୍ନ୍ତରାଷ୍ଟ୍ରୀୟ ଆଇନର ଲଗାତର ଉଲ୍ଲଂଘନ କରାଯାଉଥିବା କହିଛନ୍ତି ବାଇଡେନ୍ ।

ବ୍ରିଟେନ ମଧ୍ୟ ରୁଷିଆର ୫ଟି ବ୍ୟାଙ୍କ ଉପରେ କଟକଣା ଲଗାଇଛି । ଆମେରିକା, ବ୍ରିଟେନ୍ ପକ୍ଷରୁ ଏଭଳି ପଦକ୍ଷେପ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତିକ୍ରିଆ ମଧ୍ୟ ଆସିଛି । ଆଜି ରୁଷର ଜାତୀୟ ଛୁଟି ଅବସରରେ ନିଜ ଦେଶବାସୀଙ୍କୁ ସମ୍ବୋଧନ କରି ଭିଡିଓ ଜାରି କରିଛନ୍ତି ପୁଟିନ୍ । ଭିଡିଓରେ ପୁଟିନ୍ କହିଛନ୍ତି, ରୁଷିଆ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ହେଲେ ଯଦି ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଉପରେ ବିପଦ ଆସେ ତାହାଲେ ପଛକୁ ହଟିବନି ରୁଷ ।