କନକ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିୱିରେ ଥିବା ଭାରତୀୟ ଦୂତାବାସ ତରଫରୁ ସେଠାରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି କି ବର୍ତ୍ତମାନ ୟୁକ୍ରେନରେ ଉପୁଜିଥିବା ପରିସ୍ଥିତିକୁ ନଜରରେ ରଖି ଭାରତୀୟ ଛାତ୍ର ଓ ନାଗରିକଙ୍କୁ ପରାମର୍ଶ ଦିଆଯାଉଛି କି, ସେମାନେ ତୁରନ୍ତ ୟୁକ୍ରେନ ଛାଡି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରନ୍ତୁ । ଏହାସହ ଦୂତାବାସ ତରଫରୁ କୁହାଯାଉଛି କି ଭାରତୀୟଙ୍କ ପାଇଁ କମର୍ସିଆଲ ଫ୍ଲାଇଟ ଚାର୍ଟର ଫ୍ଲାଇଟ୍ସ ଉପଲବ୍ଧ ହୋଇପାରେ ।
କେବଳ ସେତିକି ନୁହେଁ ଭାରତୀୟ ଦୂତାବାସ ତରଫରୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି କି କେବେ ଓ କେଉଁ ବିମାନ ବନ୍ଦରରୁ ଏହି ବିମାନ ଉଡାଣ ଭରୁଛି ସେନେଇ ଦୂତାବାସ ୱେବସାଇଟ, ଫେସବୁକ ଓ ଟ୍ୱିଟରରେ ଅପଡେଟ୍ ଦିଆଯାଉଛି ।
କହିରଖୁ କି ୟୁକ୍ରେନରେ ୧୮ ହଜାର ଭାରତୀୟ ଛାତ୍ର ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଭାରତୀୟ ଛାତ୍ର ସେଠାରେ ମେଡିକାଲ ପଢିବାକୁ ଯାଇଛନ୍ତି । ସେମାନଙ୍କ ପରିବାର ତରଫରୁ ଭାରତ ସରକାରଙ୍କ ପାଖରେ ନିବେଦନ କରାଯାଇଛି କି ଯେଭଳି ବି ହେଉ ସେମାନଙ୍କ ପିଲାମାନଙ୍କୁ ଭାରତ ସରକାର ତୁରନ୍ତ ସ୍ୱଦେଶ ଫେରାଇ ଆଣନ୍ତୁ । ଏହାକୁ ନଜରରେ ରଖି ନାଗରିକ ବିମାନ ମନ୍ତ୍ରଣାଳୟ ପୂର୍ବରୁ ୟୁକ୍ରେନକୁ ବିମାନ ଉଡାଣ ନେଇ ଲଗାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।
ଏହା ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ତରଫରୁ ଏକ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇ ୟୁକ୍ରେନରେ ଥିବା ଭାରତୀୟଙ୍କ ସହ ଯୋଗା ଯୋଗ ରଖିବାକୁ କିଛି ନମ୍ବର ଜାରି କରିଛନ୍ତି । ୦୧୧-୨୩୦୧୨୧୧୩, ୦୧୧-୨୩୦୧୪୧୦୪ ଓ ୦୧୧-୨୩୦୧୭୯୦୫ ନମ୍ବରରେ ଫୋନ କରି ପରିଜନମାନେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବାବଦରେ ସୂଚନା ପାଇପାରିବେ ।
କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଉଗ୍ରରୂପ ନେବାକୁ ବସିଛି । ଯୁଦ୍ଧ ଆଶଂକାରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି ।
Follow Us