କନକ ବ୍ୟୁରୋ : ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ହେଲେ ନିରାଶ । କେନ୍ଦ୍ର ସରକାର କହିଛନ୍ତି, ଏବେ ଏହି ଛାତ୍ରଛାତ୍ରୀଙ୍କୁ ଆଡମିଶନ କରାଇବାକୁ ଅନୁମତି ଦେବା ଠିକ୍ ନୁହେଁ । ଏହାଦ୍ୱାରା ଭାରତୀୟ ମେଡିକାଲ କଲେଜ ଗୁଡ଼ିକର ପାଠ ପଢା ପ୍ରଭାବିତ ହେବ । ଯାହା ଅନେକ ବିବାଦକୁ ସୃଷ୍ଟି କରିବ । ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଏହା କହିଛନ୍ତି । ଜାତୀୟ ମେଡିକାଲ କମିସନ ଆଇନରେ ଏ ନେଇ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଏବେ ନାମଲେଖାଇବା ସମ୍ଭବ ନୁହେଁ ।

Advertisment

ଯଦି ସରକାର ଏହି ଛାତ୍ରଛାତ୍ରୀମାନଙ୍କୁ ନାମଲେଖାଇବାକୁ ଅନୁମତି ଦେବା ତାହେଲେ ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ ବୋଲି ସରକାର କହିଛନ୍ତି । ଦୁଇଟି କାରଣରୁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶୀ ମେଡିକାଲ କଲେଜରେ ପଢିବାକୁ ଯାଉଛନ୍ତି । ଗୋଟିଏ ହେଲା ଏନଇଇଟି ପରୀକ୍ଷାରେ ଖରାପ ପ୍ରଦର୍ଶନ । ଦ୍ୱିତୀୟଟି ହେଲା ୟୁକ୍ରେନ ପରି ଦେଶରେ ଶସ୍ତା ମେଡିକାଲ ପାଠପଢା ଖର୍ଚ୍ଚ । ଏନଇଇଟି ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ପିଲାମାନଙ୍କୁ ଅନୁମତି ଦେବା ଦ୍ୱାରା ଅନ୍ୟ ବିବାଦ ସୃଷ୍ଟି ହେବ । ଯେଉଁମାନେ କମ୍ ଖର୍ଚ୍ଚରେ ବିଦେଶରେ ମେଡିକାଲ ପଢୁଥିଲେ, ସେମାନେ ଭାରତର ଘରୋଇ ମେଡିକାଲ କଲେଜର ଖର୍ଚ୍ଚ ଉଠାଇପାରିବେ ନାହିଁ ।

କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଦ୍ୱାରା ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣି ନିରାଶ ହୋଇଛନ୍ତି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ସଂସଦରେ କେନ୍ଦ୍ର ସରକାର କହିଥିଲେ ଯେ ଭାରତୀୟ ମେଡିକାଲ କାଉନସିଲ ଆଇନ ଓ ଜାତୀୟ ମେଡିକାଲ କମିସନ ଆଇନ ଅନୁସାରେ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇପାରିବ ନାହିଁ ।