କନକ ବ୍ୟୁରୋ : ଋଷ ବିରୋଧରେ ମୁଣ୍ଡ ନୁଆଁଇବାକୁ ନାରାଜ ୟୁକ୍ରେନ୍ । ଏବେ ଋଷ ବିରୋଧରେ ୟୁକ୍ରେନର କଏଦୀ ଲଢିବେ । ନିଜ କଏଦୀମାନଙ୍କୁ ୟୁକ୍ରେନ୍ ମୁକ୍ତ କରୁଛି । ଯୁଦ୍ଧରେ ସାମିଲ ପାଇଁ ୟୁକ୍ରେନ୍ କଏଦୀମାନଙ୍କୁ ପ୍ରସ୍ତୁତ କରୁଛି । ଋଷ ବିରୋଧରେ କଏଦୀମାନଙ୍କୁ ଲଢିବାକୁ ଅନୁମତି ମିଳି ସାରିଛି ।

Advertisment

ସେପଟେ, ଋଷ ଆକ୍ରମଣ ପରେ ୟୁକ୍ରେନ୍ ଏବେ ଗୁରୁତର ସଂକଟ ଦେଇ ଗତି କରୁଛି । ଶତ୍ରୁ ଶକ୍ତିଶାଳୀ ହୋଇଥିବାରୁ ୟୁକ୍ରେନ୍ ସେନା ସେମାନଙ୍କୁ ମୁକାବିଲା କରିପାରୁ ନାହାନ୍ତି । ଏ ସଂକଟ ସମୟରେ ମାତୃଭୂମିର ସୁରକ୍ଷା ପାଇଁ ଦେଶବାସୀ ଆଗେଇଆସନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଋଷ ସୈନିକଙ୍କ ଯାତାୟାତରେ ବାଧାସୃଷ୍ଟି ପାଇଁ ରାସ୍ତାଘାଟ ଅବରୋଧ କରିବା ସହ ସେମାନଙ୍କ ଉପରକୁ ପେଟ୍ରୋଲ ବୋମା ପକାଇବା ପାଇଁ କୁହାଯାଇଛି ।

ପେଟ୍ରୋଲ ବୋମା କେମିତି ତିଆରି କରିବ ତା’ର କୌଶଳ ମଧ୍ୟ ବତାଇ ଦିଆଯାଇଛି । କେତେକ ଦେଶପ୍ରେମୀ ନାଗରିକ ସ୍ବେଚ୍ଛାକୃତଭାବେ ସେନାରେ ମଧ୍ୟ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୬ ବର୍ଷୀୟ ୟୁକ୍ରେନୀୟ ଟେନିସ୍ ତାରକା ସର୍ଗି ଷ୍ଟାଖୋବ୍‌ସ୍କି । ତାଙ୍କର ପୂର୍ବରୁ କୌଣସି ସାମରିକ ଅଭିଜ୍ଞତା ନାହିଁ । କିନ୍ତୁ ଘରୋଇଭାବେ ସେ ବନ୍ଧୁକ ଚାଳନା ଶିଖିଛନ୍ତି ବୋଲି କହିଛନ୍ତି ।

ଋଷ ସେନାର ଗତିରୋଧ କରିବା ପାଇଁ ଲୋକମାନେ ଗୁରୁତ୍ବପୂର୍ଣ୍ଣ ଜାଗାମାନଙ୍କରେ ରାସ୍ତା ଉପରେ ପୁରୁଣା ଟ୍ରାକ୍ଟର, ଟ୍ରକ୍ ଓ ଅନ୍ୟାନ୍ୟ ଜିନିଷ ରଖି ରାସ୍ତା ଅବରୋଧ କରିଛନ୍ତି । ତାକୁ ଘୁଞ୍ଚେଇ ଆଗକୁ ବଢ଼ିବା ପାଇଁ ଋଷ ସେନାକୁ କିଛି ସମୟ ତ ଲାଗିବ । ସେହି ସମୟରେ ଲୁଚି ରହିଥିବା ଲୋକମାନେ ସେମାନଙ୍କ ଉପରକୁ ପେଟ୍ରୋଲ ବୋମା ପକାଇବେ । ଏହା ଗୋଟିଏ ଜାଗାରେ ନୁହେଁ, ଯେତେ ଅଧିକ ସମ୍ଭବ ସ୍ଥାନରେ କରିବା ପାଇଁ ଲୋକମାନେ ଲାଗି ପଡ଼ିଛନ୍ତି ।