କନକ ବ୍ୟୁରୋ :ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ ବୟାନ । କହିଲେ, ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଛି ।

Advertisment

ଏହାପୂର୍ବରୁ ୟୁକ୍ରେନ ବିରୋଧରେ ଋଷ ଯୁଦ୍ଧ ଘୋଷଣା କରିବା ସହ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ଏପରିକି ୟୁକ୍ରେନର ରାଜଧାନୀରେ ମିସାଇଲ ମାଡ କରିବା ସହ ବିଭିନ୍ନ ସାମରିକ ଘାଟିକୁ କବଜା କରିଥିଲା । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସେନାକୁ ଅସ୍ତ୍ର ଛାଡି ଆତ୍ମସର୍ମପଣ କରିବାକୁ କହିଥିଲେ । ଏପରିକି ୟୁକ୍ରେନ ମାମଲାରେ ଅନ୍ୟ କୌଣସି ଦେଶ ମୁଣ୍ଡ ଖେଳାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏହାସତ୍ତେ୍ୱ ମଧ୍ୟ ନାଟୋ ଗ୍ରୁପରେ ଥିବା ଦେଶ ଗୁଡିକ ଋଷ ସହ ଲଢେଇ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । କିନ୍ତୁ ଏଯାବତ୍ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।

ଅନ୍ୟପଟେ ୟୁକ୍ରେନ ମାମଲାରେ ଆମେରିକାରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ୱାଂସିଟନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପରାଷ୍ଟ୍ରପତି, ବୈଦଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ ହୋଇଛନ୍ତି । ୟୁକେନ୍ ଉପରେ ଆକ୍ରମଣକୁ ନେଇ ଚୁପ୍ ବସିବୁ ନାହିଁ ବୋଲି କହିଛନ୍ତି ଜୋ ବାଇଡେନ ।