କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ନାଟୋ ସମୂହ ଦେଶ ଋଷ ଉପରେ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଆଉ ଅନ୍ୟପଟେ ୟୁକ୍ରେନ୍ ରାଜଧାନୀ ଠାରୁ ଅଳ୍ପ ଦୂରରେ ରହିଛି ଋଷ ସେନା । ଏଭଳି ସ୍ଥିତିରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗ ଲୋଡିଛନ୍ତି । ମୋଦୀଙ୍କ ସହ ଜେଲେନସ୍କି ଫୋନରେ କଥା ହେବା ସହ କହିଛନ୍ତି, ୟୁକ୍ରେନରେ ଏବେ ବି ଋଷ ପକ୍ଷରୁ ଆକ୍ରମଣ ଜାରି ରହିଛି । ଆଉ ଏହାକୁ ରୋକିବାକୁ ଭାରତ ଠାରୁ କୂଟନୈତିକ ସହଯୋଗ ଲୋଡିଛି ୟୁକ୍ରେନ୍ । ଜେଲେନସ୍କି ଏହି ବାର୍ତ୍ତାଳପ ସମୟରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସମର୍ଥନ ଲୋଡିଛି ।

Advertisment

ଏହାପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଭାରତର ଆଭିମୁଖ୍ୟକୁ ନେଇ ଆପତ୍ତି ଉଠାଇଥିଲା । କାରଣ ଜାତିସଂଘର ସୁରକ୍ଷା ପରିଷଦରେ ନ୍ୟୁଟ୍ରାଲ ଷ୍ଟାଣ୍ଡ ନେଇଥିଲା ଭାରତ । ଭାରତ ଶାନ୍ତି ଚାହେଁ ଓ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବା ଉଚିତ ବୋଲି କହି ଆସିଛି । କେବଳ ୟୁକ୍ରେନ୍ ରାଷ୍ଟ୍ରପତି ନୁହଁନ୍ତି ବରଂ ଋଷର ରାଷ୍ଟ୍ରପତି ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଥିଲେ । ସେତେବେଳେ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପୁଟିନଙ୍କ ସହ ଆଲୋଚନା କରିଥିଲେ ମୋଦୀ । ଏପରିକି କୂଟନୀତି ଜରିଆରେ ୟୁକ୍ରେନ ସହ ବିବାଦର ସମାଧାନ କରିବା ଉପରେ ଜୋର ଦେଇଥିଲେ ମୋଦୀ ।

ଏସବୁ ଭିତରେ ଭାରତ ପାଇଁ ଏବେ ୟୁକ୍ରେନ୍ ମାମଲା ଧର୍ମସଙ୍କଟ ଭାବେ ଉଭା ହୋଇଛି । ଗୋଟିଏ ପଟେ ପୁରୁଣା ବନ୍ଧୁ ଋଷ ଓ ଅନ୍ୟପଟେ ସମର୍ଥନ ଚାହିଁ ବସିଛି ୟୁକ୍ରେନ୍ । ଏଭଳି ସ୍ଥିତିରେ ଭାରତ କାହା ପକ୍ଷ ନେବ ତାହା ଉପରେ ପୂରା ବିଶ୍ୱ ସମୁଦାୟର ନଜର ରହିଛି ।