କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧକୁ ସମୟ ଯେତିକି ବିତୁଛି, ନୂଆ ନୂଆ ଚକିତ କଲାଭଳି ଖବର ସେତିକି ସାମ୍ନାକୁ ଆସୁଛି । ରାଜଧାନୀ କିବ ଅଭିମୁଖେ ଋଷ ସେନା ଅଗ୍ରସର ହେଉଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ବଡ ବୟାନ ଦେଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଏବେ ଆମେ ରଣନୀତି ବଦଳାଇଛୁ । ଏଣିକି ଆଉ ନିଜକୁ ବଞ୍ଚାଇବାକୁ ନୁହେଁ ବରଂ ଦେଶରୁ ଶତ୍ରୁଙ୍କୁ ତଡିବାକୁ ଉଦ୍ୟମ କରିବୁ । ଆଉ ଏଥିପାଇଁ ଆକ୍ରମଣ ହିଁ ଏକମାତ୍ର ଉପାୟ । ଆକ୍ରମଣ କରି ନିଜ ଦେଶର ସୁରକ୍ଷା କରିବୁ ବୋଲି କହିଛନ୍ତି ଜେଲେନସ୍କି । ଆଉ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ବୟାନ ହିଁ ଦର୍ଶାଉଛି ଯେ, ଆଉ ଋଷ ଆକ୍ରମଣକୁ ସହ୍ୟ କରିବା ମୁଡରେ ନାହିଁ ୟୁକ୍ରେନ୍ । ଯେଉଁଥିପାଇଁ ସିଧାସଳଖ ମୁହାଁମୁହିଁ ହେବାକୁ ଜୋର ଦେଇଛନ୍ତି ଜେଲେନସ୍କି ।
ଆଉ ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଚେତାବନୀ ଦେବା ସହ କହିଛନ୍ତି,ୠଷ ସେନା ଯଦି ବଞ୍ଚିବାକୁ ଚାହୁଁଛି ତେବେ ଏବେଠୁ ଘରକୁ ଫେରି ଯାଆନ୍ତୁ । ଆଉ ଜେଲେନସ୍କିଙ୍କ ଏଭଳି ଚେତାବନୀ କେଉଁଠି ନା କେଉଁଠି ଦର୍ଶାଉଛି ଯେ, ୟୁକ୍ରେନ ଏବେ ବିଭିନ୍ନ ଦେଶ ଠାରୁ ସହାୟତା ପାଇବା ପରେ ଆହୁରି ଶକ୍ତିଶାଳୀ ହୋଇଛି । ଏହାପୂର୍ବରୁ ଜେଲେନସ୍କି କହିଥିଲେ, ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ । ଋଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ଋଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ଋଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।ୠଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।
ଅନ୍ୟପଟେ ଋଷିଆ ସେନାର ବାଟ ଓଗାଳିବାକୁ ରାସ୍ତାକୁ ଆସିଛନ୍ତି ୟୁକ୍ରେନବାସୀ । ହାତରେ ବ୍ୟାନର ପୋଷ୍ଟର ଧରି ଋଷିଆ ବିରୋଧରେ ଏମାନେ ନାରାବାଜି କରିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନର ସାଧାରଣ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଆହ୍ୱାନ ଦେବା ସହ ସେମାନଙ୍କ ହାତରେ ହତିଆର ଦେଇଥିଲେ । ଫଳରେ ସାଧାରଣ ଲୋକ ବି ଯୁଦ୍ଧକୁ ଓହ୍ଳାଇ ଆସିଛନ୍ତି । ଏବେ ଯେଉଁମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି ସେମାନେ ଋଷିଆ ସେନା ସହିତ ଯୁଦ୍ଧ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଯାହା ପାଖରେ ହତିଆର ନାହିଁ ସେମାନେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଳାଇ ଆସି ନାରାବାଜି କରିଛନ୍ତି ।