କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧକୁ ୧୩ ଦିନ ବିତିଗଲାଣି । ଦିନ ଯେତିକି ବିତୁଛି ଯୁଦ୍ଧ ସେତିକି ଭୟାବହ ହେଉଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ବଡ ବଡ ସହର ଧ୍ୱସ୍ତବିଧ୍ୱସ୍ତ ହୋଇ ପଡିଛି ସତ କିନ୍ତୁ ଏବେ ବି ଋଷର ସେନାକୁ ସାହସର ସାମ୍ନା କରୁଛି ୟୁକ୍ରେନ୍ ସେନା । ଏସବୁ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ୍ ଛାଡି ପୋଲାଣ୍ଡ ପଳାୟନ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଋଷ ପକ୍ଷରୁ ଏଭଳି ଦାବି କରାଯାଉଥିଲେ ମଧ୍ୟ ଜେଲେନସ୍କି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ରାଷ୍ଟ୍ରପତି ଭବନରୁ ଏକ ଭିଡ଼ିଓ ଜାରି କରି ଜେଲେନସ୍କି କହିଛନ୍ତି, ମୁଁ ରାଜଧାନୀ କିଭରେ ହିଁ ଅଛି ଏବଂ କାହାକୁ ବି ଡରୁନାହିଁ ।

Advertisment

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ବଙ୍କରରେ ଲୁଚି ନାହିଁ । ଏବେ ବି କିଭରେ ଅଛି, ଯୁଦ୍ଧ ଜିତିବାକୁ ଯେତେବେଳେ ଯାଏଁ ଆବଶ୍ୟକ ପଡିବ ସେତେବେଳେ ଯାଏଁ ଏଠାରେ ରହିବି । ରାଷ୍ଟ୍ରପତି ଭବନରୁ ଏହି ଭିଡିଓ ସେୟାର କରିବା ସହ ଜେଲେନସ୍କି କେବଳ ଋଷକୁ ମୁହଁତୋଡ ଜବାବ ଦେଇନାହାନ୍ତି ବରଂ ୟୁକ୍ରେନବାସୀଙ୍କ ମନରେ ଥିବା ଭ୍ରମକୁ ମଧ୍ୟ ଦୂର କରିଛନ୍ତି ।

ରାଷ୍ଟ୍ରପତି ଭବନରେ ବୁଲୁଥିବାର ଭିଡ଼ିଓ ସେୟାର କରିବା ସହ ପୁଣିଥରେ ବିଶ୍ୱବାସୀଙ୍କ ସାମ୍ନାକୁ ଆସିଛନ୍ତି ଜେଲେନସ୍କି । ଆଉ ଜେଲେନସ୍କିଙ୍କ ଭିଡ଼ିଓ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ରାଜଧାନୀ କିଭକୁ ଚାରିପଟୁ ଘେରି ରହିଛନ୍ତି ଋଷ ସେନା । କେବଳ ଏତିକି ନୁହେଁ ସେ ପଳାୟନ କରିବେ ନାହିଁ ବରଂ ଶେଷ ପର୍ଯ୍ୟନ୍ତ ନିଜ ସାଥୀଙ୍କ ସହ ରାଜଧାନୀରେ ହିଁ ରହିବେ । ଏହାପୂର୍ବରୁ ଜେଲେନସ୍କି କହିଥିଲେ, ୟୁକ୍ରେନ ଜନତାଙ୍କ ସହ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କ ଠାରୁ ନିଶ୍ଚୟ ପ୍ରତିଶୋଧ ନେବୁ । ୟୁକ୍ରେନବାସୀ କେହି କିଛି ଭୁଲିବେ ନାହିଁ ।