କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮ମ ଦିନରେ ପହଞ୍ଚିଛି । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ତେବେ ଏହାଭିତରେ ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ଋଷ ସେନା । ମିଜାଇଲ ମାଡରେ ଧ୍ୱସଂ ହୋଇଯାଇଛି ଅଏଲ ଡିପୋ । ପ୍ରଚଣ୍ଡ ବିସ୍ଫୋରଣ ପରେ ଜଳିଯାଇଛି ତେଲ ଡିପୋ ।
ଅନ୍ୟପଟେ ଋଷିଆ ସେନାର ବାଟ ଓଗାଳିବାକୁ ରାସ୍ତାକୁ ଆସିଛନ୍ତି ୟୁକ୍ରେନବାସୀ । ହାତରେ ବ୍ୟାନର ପୋଷ୍ଟର ଧରି ଋଷିଆ ବିରୋଧରେ ଏମାନେ ନାରାବାଜି କରିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନର ସାଧାରଣ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଆହ୍ୱାନ ଦେବା ସହ ସେମାନଙ୍କ ହାତରେ ହତିଆର ଦେଇଥିଲେ । ଫଳରେ ସାଧାରଣ ଲୋକ ବି ଯୁଦ୍ଧକୁ ଓହ୍ଳାଇ ଆସିଛନ୍ତି । ଏବେ ଯେଉଁମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି ସେମାନେ ଋଷିଆ ସେନା ସହିତ ଯୁଦ୍ଧ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଯାହା ପାଖରେ ହତିଆର ନାହିଁ ସେମାନେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଳାଇ ଆସି ନାରାବାଜି କରିଛନ୍ତି ।
ଆଉ ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଚେତାବନୀ ଦେବା ସହ କହିଛନ୍ତି,ୠଷ ସେନା ଯଦି ବଞ୍ଚିବାକୁ ଚାହୁଁଛି ତେବେ ଏବେଠୁ ଘରକୁ ଫେରି ଯାଆନ୍ତୁ । ଆଉ ଜେଲେନସ୍କିଙ୍କ ଏଭଳି ଚେତାବନୀ କେଉଁଠି ନା କେଉଁଠି ଦର୍ଶାଉଛି ଯେ, ୟୁକ୍ରେନ ଏବେ ବିଭିନ୍ନ ଦେଶ ଠାରୁ ସହାୟତା ପାଇବା ପରେ ଆହୁରି ଶକ୍ତିଶାଳୀ ହୋଇଛି । ଏହାପୂର୍ବରୁ ଜେଲେନସ୍କି କହିଥିଲେ, ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ । ଋଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ଋଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ଋଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।ୠଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।
ଆଉ ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଋଷର ମେଜର ଜେନେରାଲଙ୍କର ୟୁକ୍ରେନରେ ମୃତ୍ୟୁ ହୋଇଛି । ନ୍ୟୁଜ୍ ଏଜେନ୍ସି ନେକ୍ସଟା ପକ୍ଷରୁ ଯେଉଁ ଦାବି କରାଯାଇଛି ସେଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ୟୁକ୍ରେନରେ ଯୁଦ୍ଧ ଭିତରେ ଋଷର ମେଜର ଜେନେରାଲ ଆନ୍ଦ୍ରେଇ ସୁଖୋବସ୍ତକିଙ୍କର ମୃତ୍ୟୁ ହୋଇଛି । ଏହାଛଡା ଋଷ ସେନାର ଅନେକ ଯୁଦ୍ଧାସ୍ତ୍ର ନଷ୍ଟ କରିଥିବା ନେଇ ୟୁକ୍ରେନ ଦାବି କରିଛି । ଏସବୁ ଭିତରେ ଆଲୋଚନା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ ମସ୍କୋ ପ୍ରସ୍ତୁତ ଥିବା କହିଛନ୍ତି ଋଷ ବୈଦଶିକ ମନ୍ତ୍ରୀ । କିନ୍ତୁ ୟୁକ୍ରେନର ମିଲିଟାରୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାରୁ ଋଷ ହଟିବନି ବୋଲି ଚେତାଇ ଦେଇଛି । ଉଭୟ ଋଷ-ୟୁକ୍ରେନ ମଧ୍ୟରେ ଆଜି ବେଲାରୁଷରେ ଯୁଦ୍ଧକୁ ନେଇ ବୈଠକ ହେବ । ଅନ୍ୟପଷଯ ଜାତିସଂଘ ପକ୍ଷରୁ ଦାବି କରି କୁହାଯାଇଛି ଯେ, ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ଅତି କମରେ ୨୨୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୫୨୫ ଜଣ ଆହତ ହୋଇଛନ୍ତି ।